ଭଞ୍ଜନଗର: ସରକାର ଗରିବଙ୍କୁ ଘରଡିହ ଓ ଆବାସ ଯୋଜନାରେ ଗୃହ ଯୋଗାଇ ଦେବାର ଡିଙ୍ଗୁରା ପିଟୁଛନ୍ତି । ହେଲେ ଏହି ଆବାସ ଯୋଜନା ଏବେ ଗରିବ ପରିବାର ପାଇଁ ପାଲଟିଛି ସାତସପନ । ତେଲିଆ ମୁଣ୍ଡରେ ତେଲ ସଦୃଶ୍ୟ ନା ମୁଣ୍ଡ ଗୁଞ୍ଜିବାକୁ ଅଛି ଛାତ ନା ପେଟକୁ ଅଛି ଦାନା । ଏ ହେଉଛି ଦୁର୍ଗମ ଅଞ୍ଚଳର ତିନି ଅନାଥ ଆଦିବାସୀ ପିଲାର କରୁଣ କାହାଣୀ । ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ବଡ଼ଗୋଚ୍ଛା ପଞ୍ଚାୟତର କଇଠଗୁଡ଼ି ଗ୍ରାମ ତଳସାହିର ଜଳନ୍ଧର ମଳିକ ସ୍ତ୍ରୀ କୁଡୁ ମଳିକ ପୁଅ ବିବେକ ଦୁଇଝିଅ ମାମୁନି, ପାପୁନିକୁ ନେଇ ଦୁଃଖେ କଷ୍ଟେ ଚଳୁଥିଲେ । ହେଲେ ଆଜକୁ ଛଅ ବର୍ଷ ହେବ ଜଳନ୍ଧର ଓ କୁଡୁ ତିନି କୁନି କୁନି ପିଲାକୁ ଅନାଥ କରି ଚାଲିଗଲେ ଆରପାରିକୁ । ସେତେ ବେଳକୁ ଦୁନିଆ କଣ ଜାଣିନଥିଲେ ଏହି ତିନି ଅନାଥ ପିଲା ।
କିନ୍ତୁ ବଡ଼ମା ଲତା ମଳିକ ନିଜେ ବଞ୍ଚିବାକୁ ସଂଘର୍ଷ କରୁଥିବାବେଳେ ଏହି ତିନି ଅନାଥ ନିଷ୍ପାପ ପିଲାଙ୍କୁ କୋଳେଇ ନେଇଥିଲେ । ଲତାର ପୂର୍ବରୁ ସ୍ଵାମୀଙ୍କ ମୃତ୍ୟୁ ହୋଇଯାଇଥିବାବେଳେ ନିଜର ବି ଦୁଇଟି ସନ୍ତାନ । ଆଉ ଏବେ ତିନିପିଲାଙ୍କୁ ମିଶାଇ ପରିବାରରେ 6 ସଦସ୍ୟ । ତେବେ ଘରର ରୋଜଗାରିଆ ବ୍ୟକ୍ତିଙ୍କୁ ହରାଇ ଏବେ ବେସାହାରା ହୋଇପଡିଛି ପୁରା ପରିବାର । ପେଟକୁ ୨ ଓଳି ୨ ମୁଠା ଖାଦ୍ୟ ଯୋଗାଡ କରିବା ଏମାନଙ୍କ ପାଇଁ ସମ୍ଭବ ହେଉନାହିଁ । ମାଗିକି ଓଳିଏ ଖାଇଲେ ଆର ଓଳି ଉପାସ । ସେପଟେ ସରକାରୀ ସହାୟତା କହିଲେ ଏମାନଙ୍କୁ କେବଳ ରାସନ କାର୍ଡରେ ମିଳୁଛି କେବଳ 25 କେଜି ଚାଉଳ ।