ଓଡିଶା

odisha

By

Published : Sep 4, 2022, 10:41 PM IST

ETV Bharat / state

ସରକାରୀ ସହାୟତା ଅପେକ୍ଷାରେ ବୃଦ୍ଧ ଦମ୍ପତି, ସାହା ପାଲଟିଛି ଭିକ୍ଷାବୃତ୍ତି

ଫେଲ ମାରିଛି ସରକାରୀ ଯୋଜନା । ଜୀବନ ବଞ୍ଚାଇବାକୁ ବର୍ଷ ତମାମ ଭିକ୍ଷାବୃତ୍ତି କରୁଛନ୍ତି ବୃଦ୍ଧ ଦମ୍ପତି । ଅଧିକ ପଢ଼ନ୍ତୁ

helpless old couple not getting any government assistance in ganjam
ସରକାରୀ ସହାୟତା ଅପେକ୍ଷାରେ ବୃଦ୍ଧ ଦମ୍ପତି, ସାହା ପାଲଟିଛି ଭିକ୍ଷାବୃତ୍ତି

ଭଞ୍ଜନଗର:ସାତ ସପନ ପାଲଟିଛି ସରକାରୀ ଯୋଜନା । ନାଁ ମିଳୁଛି ଦୁଇ ମୁଠା ଖାଦ୍ୟ । ନାଁ ପହଞ୍ଚିଛି ସରକାରୀ ସହାୟତା । ଜୀବନ ବଞ୍ଚାଇବାକୁ ରାହା ଖୋଜୁଛନ୍ତି ବୃଦ୍ଧ ଦମ୍ପତି । ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ପଞ୍ଚଭୂତି ଗ୍ରାମ ହରିଜନ ସାହିର ଦାଶ ନାଇକ ଓ ସୁବାସିନୀ ନାଇକ ଏଭଳି ଦୁର୍ଦ୍ଦିନ ଜୀବନ ବିତାଉଛନ୍ତି (old couple not getting any government assistance) ।

ବୃଦ୍ଧ ଦମ୍ପତିଙ୍କ ନିଜର କୌଣସି ସନ୍ତାନ ନାହାନ୍ତି ତଥାପି ବହୁ ହସଖୁସିରେ ଦାମ୍ପତ୍ୟ ଜୀବନ କାଟୁଥିଲେ । ସମୟ ଗଡ଼ିବା ସହିତ ଏହି ଦମ୍ପତିଙ୍କ ବାର୍ଦ୍ଧକ୍ୟ ଅବସ୍ଥା ଆସି ପହଞ୍ଚି ଗଲା । ବୟସର ଅପରାହ୍ନରେ ଉଭୟଙ୍କ ଉପରେ ଦଇବ ଦାଉ ସାଧୁଛି । ବୃଦ୍ଧ ଅବସ୍ଥାରେ କେହି ସାହାରା ନଥିବାବେଳେ ଦାଶ ନାଇକ ରୋଗରେ ପଡି ଅକର୍ମଣ୍ୟ ହୋଇଯାଇଛନ୍ତି ।

ସରକାରୀ ସହାୟତା ଅପେକ୍ଷାରେ ବୃଦ୍ଧ ଦମ୍ପତି

ସ୍ତ୍ରୀ ସୁବାସିନୀ ନାଇକଙ୍କ ଗୋଟିଏ ଆଖିକୁ ଦେଖାଗଲା ନାହିଁ, ଏପରି ଅବସ୍ଥାରେ ଆଜକୁ ପାଞ୍ଚ ବର୍ଷ ହେଲା ସ୍ଵାମୀଙ୍କୁ ସାଥିରେ ଧରି ସୁବାସିନୀ ଭିକ୍ଷା ବୃତ୍ତି କରୁଛନ୍ତି । ସେଥିରୁ ଯାହା କିଛି ମିଳୁଛି ସ୍ବାମୀର ଚିକିତ୍ସା ସହିତ ଦୁଇମୁଠା ଖାଇବାକୁ ଯୋଗାଡ଼ ହେଉଛି l ଏପରି ସ୍ଥଳେ ଏମାନଙ୍କ ସ୍ଥିତି ଅତ୍ୟନ୍ତ ଦୁର୍ବିସହ ହୋଇପଡ଼ିଛି । ଏନେଇ ବୃଦ୍ଧ ଦମ୍ପତି କହିଛନ୍ତି, "ଖରାରେ ବୁଲି ଭିକ୍ଷା ମୁଠାଏ ମାଗିଲେ ଦୁଇ ପ୍ରାଣୀ ଖାଉଛୁ । ନହେଲେ ଉପାସ ରହି ଘରର ପିଣ୍ଡାରେ ପଡିରହୁଛୁ । ୬୦ ବର୍ଷ ହେଲାଣି, ଆଧାର କାର୍ଡ ହୋଇନଥିବାରୁ କୌଣସି ପ୍ରକାର ସରକାରୀ ସହାୟତା ମିଳୁନାହିଁ । ପ୍ରତିଶୃତି ଦେଇ ଚୁପ ବସିପଡୁଛନ୍ତି ସରକାରୀ ବାବୁ । ଭିକ୍ଷା ବୃତ୍ତି କରିବାକୁ ଇଚ୍ଛା ନଥିଲେ ମଧ୍ୟ ବାଧ୍ୟ କରିଦେଇଛି ପ୍ରଶାସନିକ ବ୍ୟବସ୍ଥା ।" ରୋଗାଗ୍ରସ୍ତ ସ୍ବାମୀଙ୍କୁ ନେଇ କେମିତି ବଞ୍ଚିବି ବୋଲି କୋହଭରା କଣ୍ଠରେ ଅସହାୟ ମହିଳା ଜଣକ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:ଶ୍ୱଶୁର ଘର ସାମ୍ନାରେ ବୋହୂର ଧାରଣା, ଆତ୍ମହତ୍ୟା କଲେ ଶାଶୁ

ସରକାରୀ ସହାୟତା କହିଲେ ଜଣକୁ ପାଞ୍ଚ କିଲୋ ବାବଦକୁ ଦୁଇ ପ୍ରାଣୀଙ୍କୁ ୧୦ କିଲୋ ଚାଉଳ ମିଳୁଛି । ସେତିକିରେ କିପରି ସ୍ବାମୀର ଚିକିତ୍ସା କରିବେ ଆଉ ବଞ୍ଚିବେ । ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିଏ ଛଡ଼ା କିଛି ନାହିଁ । ଆଧାର କାର୍ଡ ନଥିବାରୁ ବାର୍ଦ୍ଧକ୍ୟ ଭତ୍ତା ବି ମିଳୁନି । ସରପଞ୍ଚ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରି ନିରାଶ ହୋଇଗଲେ । ସରକାର ଯଦି ଦାଶ ନାଇକଙ୍କ ଚିକିତ୍ସା କରାଇବା ସହିତ ଏହି ବୃଦ୍ଧ ଦମ୍ପତିଙ୍କୁ ଭତ୍ତା ଯୋଗାଇ ଦିଅନ୍ତେ, ତେବେ ବାକି ଜୀବନ ଶାନ୍ତିରେ କଟି ପାରନ୍ତା । କେବେ ବୃଦ୍ଧ ଦମ୍ପତିଙ୍କୁ ସରକାରୀ ସହାୟତା ମିଳୁଛି ତାହାରି ଉପରେ ରହିଛି ନଜର ।

ଇଟିଭି ଭାରତ, ଭଞ୍ଜନଗର

ABOUT THE AUTHOR

...view details