ବ୍ରହ୍ମପୁର: ରାଜ୍ୟର ସର୍ବପୁରାତନ ସହର ମାନ୍ୟତା ପାଇଥିବା ବ୍ରହ୍ମପୁର ମହାନଗର ନିଗମ ସହିତ ଜିଲ୍ଲା ସଦର ମହକୁମା ଛତ୍ରପୁର ଏବଂ ଗୋପାଳପୁର ଏନଏସିକୁ ସାମିଲ କରାଇ ଗ୍ରେଟର ବ୍ରହ୍ମପୁର ପରିକଳ୍ପନା କରାଯାଇଥିଲା । ହେଲେ ସେହି ଯୋଜନାର ଅନେକ ବର୍ଷ ବିତିଯାଇଥିଲେ ମଧ୍ୟ ରାଜନୈତିକ ଇଚ୍ଛାଶକ୍ତି ଅଭାବ ସାଙ୍ଗକୁ ପ୍ରଶାସନିକ ଅବହେଳା କାରଣରୁ ତାହାକୁ କାର୍ଯ୍ୟକାରୀ କରାଯାଉନଥିବା ବେଳେ ଏହାକୁ ନେଇ ବିଭିନ୍ନ ମହଲରେ ଉଠିଛି ପ୍ରଶ୍ନବାଚୀ ।
ରାଜ୍ୟର ସର୍ବପୁରାତନ ସହର ବ୍ରହ୍ମପୁରକୁ ୨୦୦୮ ମସିହାରେ ସରକାରଙ୍କ ପକ୍ଷରୁ ମହାନଗର ନିଗମ ମାନ୍ୟତା ମିଳିଥିଲା । ଏହାର ପରବର୍ତ୍ତୀ ସମୟରେ ବୃଦ୍ଧି ପାଉଥିବା ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ପରିସୀମା ସହିତ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ବିକାଶମୂଳକ କାର୍ଯ୍ୟକୁ ବ୍ୟାପକ କରିବା ପାଇଁ ବ୍ରହ୍ମପୁର ମହାନଗର ନିଗମ ସହିତ ଜିଲ୍ଲାର ସଦର ମହକୁମା ଛତ୍ରପୁର ଏବଂ ଗୋପାଳପୁର ଏନଏସିକୁ ସାମିଲ କରାଯାଇ ଏକ ଗ୍ରେଟର ବ୍ରହ୍ମପୁର ପରିକଳ୍ପନା କରାଯାଇଥିଲା । ଦେଶର ଅନ୍ୟ ପ୍ରମୁଖ ବଡ ବଡ ସହର ଭଳି ଏହି ଗ୍ରେଟର ବ୍ରହ୍ମପୁର ଯୋଜନାରେ ଆଖପାଖ ଅଞ୍ଚଳକୁ ସାମିଲ କରାଯିବାକୁ ଯୋଜନା କରାଯାଇଥିଲା । ଏହି ପରିକଳ୍ପନା କେବଳ ଘୋଷଣା ମଧ୍ୟରେ ସୀମିତ ରହିଥିବା ଏବଂ ତାହାକୁ ପ୍ରଶାସନିକ ଅବହେଳା ସାଙ୍ଗକୁ ରାଜନୈତିକ ଇଚ୍ଛାଶକ୍ତି ଅଭାବ କାରଣରୁ ତାହାକୁ କାର୍ଯ୍ୟକାରୀ କରାଯାଉନଥିବା ଅଭିଯୋଗ କରିଛନ୍ତି ରେଶମ ସହରର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ।
ସରକାରଙ୍କ ଗ୍ରେଟର ବ୍ରହ୍ମପୁର ଯୋଜନା କେବଳ ଘୋଷଣା ମଧ୍ୟରେ ସୀମିତ ରହିଥିବା ବେଳେ ସେପଟେ ଏହାକୁ ନେଇ ସହରତଳି ଅଞ୍ଚଳ ଠାରୁ ବିଭିନ୍ନ ସଙ୍ଗଠନ ବିଭିନ୍ନ ସମୟର ଏହି ଦାବିକୁ ଉପସ୍ଥାପନ କରୁଥିଲେ ମଧ୍ୟ ସେଥିପ୍ରତି ଗୁରୁତ୍ୱ ଦିଆଯାଉନଥିବା କୁହାଯାଇଛି । ଅନ୍ୟପଟେ ସହରର ପରିବ୍ୟାପ୍ତ ସାଙ୍ଗକୁ ଛତ୍ରପୁର ଅଞ୍ଚଳରେ ଶିଳ୍ପର ବୃଦ୍ଧି ଏବଂ ଗୋପାଳପୁରରେ ପର୍ଯ୍ୟଟନ ସାଙ୍ଗକୁ ହୋଟେଲ ଶିଳ୍ପର ଗୁରୁତ୍ୱ ଦିନକୁ ଦିନ ବୃଦ୍ଧି ପାଉଥିବା ଯୋଗୁଁ ସରକାରଙ୍କ ପକ୍ଷରୁ ଧିରେ ଧିରେ ଏହି ତିନି ସହରକୁ ସାମିଲ କରାଇବା ପାଇଁ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଜରିଆରେ ବିକାଶ କାର୍ଯ୍ୟହାତକୁ ନିଆଯାଉଥିବା ବେଳେ ଏହି ତିନି ସହରକୁ ବିକାଶ ପାଇଁ ସରକାର ଆନୁସାଙ୍ଗିକ ବିକାଶ ପ୍ରତି ଦୃଷ୍ଟି ଦେଉଥିବା ବେଳେ ତାହା ପୂରଣ ହେଲେ ଏହି ଯୋଜନା କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ।