ବ୍ରହ୍ମପୁର: ରଣକ୍ଷେତ୍ର ପାଲଟିଲା ଡ୍ରାଇଭର ସଙ୍ଘର ଧର୍ମଘଟ । ପୋଲିସକୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଆନ୍ଦୋଳନକାରୀ ଡ୍ରାଇଭର । ଯେଉଁଥିରେ ୬ରୁ ଊର୍ଦ୍ଧ୍ବ ପୋଲିସ କର୍ମଚାରୀ ଆହତ ହୋଇଥିବା ବେଳେ ଆହତଙ୍କ ମଧ୍ୟରେ ଗୋଳନ୍ଥରା IIC ରହିଛନ୍ତି । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ଉପକଣ୍ଠର ଜଗନ୍ନାଥପୁର ଛକ ନିକଟସ୍ଥ ଜଙ୍କସନରେ ଗୁରୁବାର ସନ୍ଧ୍ୟାରେ ଘଟିଛି ଏପରି ଘଟଣା । ଆହତ ପୋଲିସ କର୍ମଚାରୀଙ୍କୁ ବ୍ରହ୍ମପୁର MKCG ମେଡିକାଲେ ଭର୍ତ୍ତି କରାଯାଇଛି ।
ଦ୍ବିତୀୟ ଦିନର ଡ୍ରାଇଭର ସଂଙ୍ଘର ଧର୍ମଘଟ ଆନ୍ଦୋଳନକୁ ହଟାଇ ଜଗନ୍ନାଥପୁର ଛକରେ ଅପରାହ୍ନରେ ପୋଲିସ ପକ୍ଷରୁ ଜାତୀୟ ରାଜପଥରେ ଅଟକି ରହିଥିବା ଟ୍ରକଗୁଡିକୁ ଛାଡି ଦିଆଯାଇଥିଲା । ଗତ ୩୬ ଘଣ୍ଟା ଧରି ଅଟକି ରହିଥିବା ଶହ ଶହ ଟ୍ରକକୁ ପୋଲିସ ଛାଡିଦେବା ପରେ ପ୍ରତିଶୋଧ ପରାୟଣ ହୋଇ ପୋଲିସକୁ ଗୋଡ଼ାଇ ଗୋଡ଼ାଇ ଠେଙ୍ଗାରେ ଆକ୍ରମଣ କରିଥିଲେ ଡ୍ରାଇଭର ସଂଙ୍ଘର କର୍ମକର୍ତ୍ତାମାନେ । ଯେଉଁଥିରେ କିଛି ପୋଲିସ କର୍ମଚାରୀ ଆହତ ହୋଇଥିବା ବେଳେ ଗୋଳନ୍ଥରା ଥାନାଧିକାରୀ ବିବେକାନନ୍ଦ ମହନ୍ତ ଓ ଗୋପାଳପୁର ପୋଲିସ ଏସ.ଆଇ ମହେନ୍ଦ୍ର ବେହେରା, ପୁକୁଡ଼ିବନ୍ଧ ଫାଣ୍ଡି ଅଧିକାରୀଙ୍କ ସମେତ ପ୍ରାୟ ୬ରୁ ଊର୍ଦ୍ଧ୍ବ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି ।
ଆହତ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ବ୍ରହ୍ମପୁର ଏମ.କେ.ସି.ଜି ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଅଧିକ ପୋଲିସ ପହଞ୍ଚିବା ପରେ ଛତ୍ରଭଙ୍ଗ ଦେଇଛନ୍ତି ଅନେକ ଡ୍ରାଇଭର । ଏବେ ବି ଘଟଣାସ୍ଥଳରେ ପରିସ୍ଥିତି ଅଶାନ୍ତ ରହିଛି । ହଠାତ ଡ୍ରାଇଭର ମହାସଂଘର ଏଭଳି ଦାଦାଗିରିକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ଗଣତନ୍ତ୍ରରେ ଆନ୍ଦୋଳନ କରିବା ସମସ୍ତଙ୍କ ଅଧିକାର ହୋଇଥିବା ବେଳେ ନିଜ ହକ ପାଇଁ ଏଭଳି ଆଇନକୁ ହାତକୁ ନେବାକୁ ସାଧାରଣ ଜନତା କଦାପି ଗ୍ରହଣ କରିବେ ନାହିଁ ବୋଲି କୁହାଯାଇଛି ।