ବ୍ରହ୍ମପୁର: ପାଖେଇ ଆସୁଛି ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିରର ପ୍ରତିଷ୍ଠା ଦିବସ । ଯାହାକୁ ନେଇ ସାରା ଦେଶବାସୀ ଉତ୍ସାହିତ ହୋଇପଡିଥିବା ବେଳେ ଏପରି ସ୍ଥଳେ ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିରରେ ରାମଲଲାଙ୍କ ଦର୍ଶନ ପାଇଁ ପାଦରେ ଚାଲି ଚାଲି ଅଯୋଧ୍ୟା ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକର ଦୁଇ ଯୁବକ । ଗୋପାଳପୁର ନିର୍ବାଚନ ମଣ୍ଡଳୀ ଚାନ୍ଦପୁର ପଞ୍ଚାୟତର କୁରେଶ ବେହେରା ଏବଂ ତାଙ୍କ ସାଙ୍ଗ ସୋନୁ ବିଷୋୟୀ ପାଟିରେ ରାମ ନାମ ଜପି ଜପି ଏବଂ ପିଠିରେ ରାମ ନାମ ଲିଖିତ ଗୈରିକ ଧ୍ବଜ ଧରି କନିଷି ଠାରୁ ଏହି ଯାତ୍ରା ଆରମ୍ଭ କରିଛନ୍ତି । ଦୁହେଁ ୪୦ ଦିନ ଭିତରେ ଅଯୋଧ୍ୟାରେ ପହଞ୍ଚି ରାମଲଲାଙ୍କୁ ଦର୍ଶନ କରି ଦେଶବାସୀଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କରିବେ ବୋଲି କହିଛନ୍ତି ।
ଦୀର୍ଘ ୪୦ ଦିନ ପାଦରେ ଚାଲି ଚାଲି ଯାତ୍ରା କରିବାକୁ ବାହାରିଥିବା ଏହି ଦୁଇ ଯୁବକ ଦୈନିକ ୩୫ରୁ ୪୦ କିଲୋମିଟର ଦୂର ପଥ ଅତିକ୍ରମ କରିବା ସହିତ ରାତ୍ର ସମୟରେ ମଠ ଓ ମନ୍ଦିରରେ ଅବସ୍ଥାନ କରିବେ ବୋଲି କହିଛନ୍ତି । ଗୋଟିଏ ପଟେ ଆସନ୍ତା ଜାନୁଆରୀ ୨୨ ତାରିଖରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆୟୋଜିତ ହେବାକୁ ରହିଥିବା ବେଳେ ଏହାକୁ ନେଇ ସବୁଠି ରାମ ଭକ୍ତମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଗଞ୍ଜାମ ଜିଲ୍ଲାରୁ ବାହାରିଥିବା ଏହି ଦୁଇ ରାମ ଭକ୍ତ ପାଖାପାଖି ୧୩୪୦ ରୁ ୧୪୦୦ କିଲୋମିଟର ରାସ୍ତା ପାଦରେ ଚାଲି ଚାଲି ଅଯୋଧ୍ୟାରେ ପହଞ୍ଚିବେ ବୋଲି ଜଣାଇଛନ୍ତି ।