ବ୍ରହ୍ମପୁର: ବାଲ୍ୟ ବିବାହ ରୋକିବାରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଉଲ୍ଲେଖନୀୟ ପଦକ୍ଷେପକୁ ନେଇଛି । ଏନେଇ ଜିଲ୍ଲା ପ୍ରଶାସନକୁ ରାଜ୍ୟସ୍ତରରେ କରାଯାଇଛି ପୁରସ୍କୃତ । ଭୁବନେଶ୍ବର ଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।
ମୁଖ୍ୟତଃ ଗଞ୍ଜାମ ଜିଲ୍ଲାରେ ଗତ କିଛି ବର୍ଷ ଧରି ବାଲ୍ୟ ବିବାହକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ସ୍ବେଚ୍ଛାସେବୀଙ୍କ ସମେତ ସ୍ବୟଂ ସହାୟକ ସଙ୍ଘ, ଅଙ୍ଗନୱାଡିକର୍ମୀଙ୍କୁ ନେଇ ଜିଲ୍ଲାରେ ଅନେକ ବାଲ୍ୟବିବାହକୁ ରୋକାଯାଇଛି । ଏହାସହ ଜିଲ୍ଲାସ୍ତରରେ ବ୍ୟାପକ ସଚେତନତା କରାଯିବା ସହ ଜିଲ୍ଲାପାଳଙ୍କ ଉଦ୍ୟମରେ 'ନିର୍ଭୟ କଢି' ନାମକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ୧୧ -୧୮ ବର୍ଷ ବାଳିକାଙ୍କୁ ନେଇ ପ୍ରତ୍ୟେକ ମାସର 3ୟ ଶନିବାର ପ୍ରତ୍ୟେକ ଅଙ୍ଗନୱାଡି କେନ୍ଦ୍ରରେ ବୈଠକ କରାଯାଇ ବାଲ୍ୟ ବିବାହର ପରିଣତି ଏବଂ ଏହାର ସ୍ବାସ୍ଥ୍ୟ ବିଭାଗ ଉପରେ ପ୍ରଭାବ ଉପରେ ଆଲୋଚନା କରାଯାଉଛି ।
ଏପରିକି ଏହି ନିର୍ଭୟ କଢି କାର୍ଯ୍ୟକ୍ରମକୁ ରାଜ୍ୟସ୍ତରରେ ପ୍ରଶଂସା କରାଯିବା ସହ ଏହା ଭବିଷ୍ୟତରେ ବହୁତ ପ୍ରଭାବ ପକାଇବ ବୋଲି କୁହାଯାଇଛି । ମୁଖ୍ୟତଃ ଗଞ୍ଜାମ ଜିଲ୍ଲାକୁ ବାଲ୍ୟ ବିବାହ କ୍ଷେତ୍ରରେ ଶୂନ କରିବା ଲକ୍ଷ୍ୟ ରଖାଯାଇଛି । ଗତ ୨୦୧୮-୧୯ରେ ମୋଟ ୨୨ଟି ବାଲ୍ୟ ବିବାହକୁ ବନ୍ଦ କରାଯାଇଥିବାବେଳେ ୨୦୧୯-୨୦ ମସିହାରେ ୨୩ ଟି ବାହାଘରକୁ ବନ୍ଦ କରାଯାଇଛି ।