ବ୍ରହ୍ମପୁର: ପୁଣି ସମ୍ନାକୁ ଆସିଲା ଦାଦନ ଦୁଃଖ । ବର୍ଷେ ଆଠ ମାସ ପରେ ବିଦେଶରୁ ଫେରିଲା ପୁଅ । ହେଲେ ଜୀବିତ ନୁହେଁ, ଆସିଲା ପୁଅର ମରଶରୀର । ଏକମାତ୍ର ରୋଜଗାରିଆ ପୁଅକୁ ହରାଇ କାନ୍ଦୁଛି ପୂରା ପରିବାର । ଏଭଳି ହୃଦୟବିଦାରକ ଦୃଶ୍ୟ ଆଜି (ଶନିବାର) ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ପଥରା ଗ୍ରାମରେ ଦେଖିବାକୁ ମିଳିଛି ।
ମୃତକଙ୍କ ନାଁ ବସନ୍ତ ସାଧବ । ପରିବାରର ପ୍ରତିପୋଷଣ ପାଇଁ ବର୍ଷେ ଆଠ ମାସ ତଳେ ଦୁବାଇ ଯାଇଥିଲେ ସେ । କିନ୍ତୁ ଗତ 2 ତାରିଖରେ ହୃଦଘାତରେ ସେ ପ୍ରାଣ ହରାଇଥିଲେ । ଖବର ପାଇ ପରିବାର ଛଟପଟ ହେଲେ ବି ଉପାୟଶୂନ୍ୟ ହୋଇପଡିଥିଲେ । ପରେ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଏ ଘଟଣା ସମ୍ପର୍କରେ ତତ୍ପରତା ପ୍ରକାଶ ପାଇଥିଲା । ଶେଷରେ ସ୍ଥାନୀୟ ବିଧାୟିକ ଓ ପ୍ରଶାସନର ମିଳିତ ଉଦ୍ୟମରେ ଦୁବାଇ ରୁ ମରଶରୀର କୁ ଦିଲ୍ଲୀ ପରେ ବିଜୁ ପଟ୍ଟନାୟକ ବିମାନ ବନ୍ଦର କୁ ଅଣାଯାଇଥିଲା । ଏହା ପରେ ନିଜ ଗାଁ ମାଟିକୁ ଅଣାଯାଇଥିଲା ।