ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଛତ୍ରପୁର ଅଞ୍ଚଳରେ ମହିଳାଙ୍କୁ ନିର୍ମମ ହତ୍ୟା ଘଟଣା । ସ୍ବାମୀ ହିଁ ସାଜିଥିଲା ସଇତାନ । ସ୍ତ୍ରୀକୁ ଅମାନୁଷିକ ଭାବେ ହତ୍ୟା କରିବା ପରେ ନିଜେ ଥାନାରେ ଅଭିଯୋଗ କରିଥିଲା । କେହି ଦୁର୍ବୃତ୍ତ ଘରେ ପଶି ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଥିବା ସେ ଥାନାରେ ଏତଲା ଦେଇଥିଲା । ହେଲେ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପୋଲିସର ତଦନ୍ତ ପରେ ସ୍ବାମୀ ରାଧାଶ୍ୟାମ ଚୌଧୁରୀ ହିଁ ଏହି ହତ୍ୟାକାଣ୍ଡ ଘଟାଇଥିବା ଜଣାପଡିଛି । ଏନେଇ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ସୂଚନା ମୁତାବକ, ଗତ ଫେବୃୟାରୀ ୧୫ ତାରିଖ ବିଳମ୍ୱିତ ରାତିରେ ଛତ୍ରପୁର ଥାନା ଅନ୍ତର୍ଗତ ବିପୁଳିଙ୍ଗି ଗ୍ରାମର ସୁପ୍ରଭା ଚୌଧୁରୀଙ୍କୁ ହତ୍ୟା କରାଯାଇଥିଲା । ୧୬ ତାରିଖ ସକାଳେ ଘରେ ତାଙ୍କର ରକ୍ତ ଜୁଡୁବୁଡୁ ମୃତଦେହ ଦେଖିବାକୁ ମିଳିଥିଲା । ଏନେଇ ମୃତକଙ୍କ ସ୍ବାମୀ ରାଧାଶ୍ୟାମ ଚୌଧୁରୀ ତାଙ୍କ ଘରେ କେହି ପଶି ପତ୍ନୀଙ୍କୁ ହତ୍ୟା କରିଥିବା ପୋଲିସ ନିକଟରେ ଅଭିଯୋଗ କରିଥିଲେ । ପୋଲିସ ଏହି ଘଟଣାକୁ ଗୁରୁତର ସହ ନେଇ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରିଥିଲା ।
ପାରିପାଶ୍ବିକ ସ୍ଥିତି ଏବଂ ତଦନ୍ତ ସମୟରେ ରାଧାଶ୍ୟାମ ବାରମ୍ବାର ନିଜର ବୟାନ ବଦଳାଇବା ଯୋଗୁଁ ପୋଲିସର ସନ୍ଦେହ ହୋଇଥିଲା । ସେ ହିଁ ହତ୍ୟା କରିଥିବା ପ୍ରମାଣ ମିଳିବା ପରେ ପୋଲିସ ଅଭିଯୁକ୍ତ ସ୍ବାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ଶନିବାର ଛତ୍ରପୁର ଏସ୍.ଡି.ପି.ଓ ଗୌତମ କିଶାନି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ପୋଲିସ ଏହି ହତ୍ୟାକାଣ୍ଡ ଘଟଣାର ଅଧିକ ଖୋଳତାଡ କରିବା ପାଇଁ ଅଭିଯୁକ୍ତ ସ୍ୱାମୀକୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିବ ବୋଲି ସୂଚନା ଦିଆଯାଇଛି ।