ବ୍ରହ୍ମପୁର: ଗଞ୍ଜାମ ସହରରେ ଆୟୋଜିତ ହୋଇଯାଇଛି ଐତିହାସିକ ଗଞ୍ଜାମ ଜ୍ୟୋତି ସମ୍ମାନ ସମାରୋହ ଏବଂ ଲୋକକଳା ମହୋତ୍ସବ-୨୦୨୦ । ଜିଲ୍ଲାର ଲୋକକଳା ଓ ଲୋକ ସଂସ୍କୃତିକୁ ବିକାଶ କରିବା ସହ ସ୍ଥାନୀୟ କଳାକାରଙ୍କ ପ୍ରତିଭାକୁ ବିକଶିତ କରିବା ଲକ୍ଷ୍ୟ ନେଇ ପ୍ରତିବର୍ଷ ଆୟୋଜିତ ହୋଇଥାଏ ଏହି ମହୋତ୍ସବ ।
ଗଞ୍ଜାମ ଜ୍ୟୋତି ସମ୍ମାନ ସମାରୋହ ଏବଂ ଲୋକକଳା ମହୋତ୍ସବ-୨୦୨୦ ଝୁମିଲେ ଦର୍ଶକ ସ୍ଥାନୀୟ ଷ୍ଟାଡିୟମ୍ ପରିସରରେ ଆୟୋଜିତ ହୋଇଥିବା ଏହି ମହୋତ୍ସବରେ ପୂର୍ବତନ ଉପବାଚସ୍ପତି ତଥା ରାଜ୍ୟ କୃଷି ବିପନ୍ନ ପରିଷଦ ଉପଦେଷ୍ଟା ରାମଚନ୍ଦ୍ର ପଣ୍ଡା ଯୋଗ ଦେଇ ଏହାକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ସେହିପରି ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ସମେତ ବହୁ ବ୍ୟକ୍ତିବିଶେଷ ଉପସ୍ଥିତ ରହିଥିଲେ । ଏହି ଅବସରରେ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରତିଭାର ଅଧିକାରୀ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ ।
ମହୋତ୍ସବରେ ପ୍ରସିଦ୍ଧ ଯୋଡି ଶଙ୍ଖ ଠାରୁ ଆରମ୍ଭ କରି ପଶୁମୁଖା ବାଘ ନୃତ୍ୟ, ଘୋଡାନୃତ୍ୟ, ଘୁଡକି ନୃତ୍ୟ, ଆଖଡା ନୃତ୍ୟ, ଓଡିଶୀ ନୃତ୍ୟ ଦେଖିବାକୁ ମିଳିଥିଲା । ସେହିପରି ସୁଦୂର କୋରାପୁଟରୁ ଆସିଥିବା ଦୁଇ ଭାଇ ଜ୍ୟୋତି ପ୍ରକାଶ ଏବଂ ଶାନ୍ତି ପ୍ରକାଶଙ୍କ ଅତ୍ୟନ୍ତ ସୁପରିଚିତ ମଦ ପିଇବି ନାହିଁ..ନାହିଁ ନାହିଁ ନାହିଁ ଗୀତ ମହୋତ୍ସବକୁ ବେଶ ଆକର୍ଷଣୀୟ କରିଥିଲା । ଶେଷରେ ଉଭୟଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା ।
ଗତ ୨୦୧୨ ମସିହାରୁ ଗଞ୍ଜାମ ସହରରେ ଗଞ୍ଜାମ ଜ୍ୟୋତି ସମ୍ମାନ ସମାରୋହ ଆୟୋଜିତ ହୋଇ ଆସୁଛି । ଚଳିତବର୍ଷ ଏହି ମହୋତ୍ସବକୁ ଅଧିକ ଆକର୍ଷଣୀୟ କରାଯାଇଥିବାରୁ ବିଭିନ୍ନ ମହଲରେ ଏହାକୁ ସ୍ବାଗତ କରାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ