ବ୍ରହ୍ମପୁର: ପୂର୍ବରୁ କୋଭିଡ୍-19 ପଜେଟିଭ୍ ମାମଲାକୁ ନେଇ ଚିନ୍ତାଜନକ ସ୍ଥିତିରେ ରହିଥିବା ଗଞ୍ଜାମ ପୁଣି ମହାମାରୀ କବଳରେ । ଦିନକୁ ଦିନ ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି କୋରୋନା ପଜେଟିଭଙ୍କ ସଂଖ୍ୟା । କୋଭିଡର ଦ୍ୱିତୀୟ ଲହରକୁ ନେଇ ଦେଶ ଠାରୁ ଆରମ୍ଭ କରି ରାଜ୍ୟ ଏକ ପ୍ରକାର ଚିନ୍ତା ଜନକ ସ୍ଥିତିରେ ରହିଥିବାବେଳେ ବୁଧବାର ଜିଲ୍ଲାରେ ମୋଟ 31 ଜଣ ନୂତନ ପଜେଟିଭ୍ ଚିହ୍ନଟ ହୋଇଛନ୍ତି । ଏବେ ଜିଲ୍ଲାରେ ମୋଟ ଆକ୍ଟିଭ ମାମଲା 86ରେ ପହଞ୍ଚିଛି ।
ଗୋଟିଏ ପଟେ ଜିଲ୍ଲାରେ ଦଣ୍ଡନୃତ୍ୟ ଠାରୁ ଆରମ୍ଭ କରି ପ୍ରସିଦ୍ଧ ମାଆ ତାରାତାରିଣୀଙ୍କ ଯାତ୍ରା ଆୟୋଜିତ ହେଉଛି । ଅନ୍ୟପଟେ ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢୀ ସାଆନ୍ତାଣୀଙ୍କ 7 ଦିନିଆ ଯାତ୍ରା ଆୟୋଜିତ ହେବ । ଏଭଳି ସମୟରେ ନିୟମିତ ଭାବରେ କୋରୋନା ପଜେଟିଭଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ସମସ୍ତଙ୍କ ପାଇଁ ଚିନ୍ତା ବଢିଛି । ସେପଟେ ଜିଲ୍ଲାପ୍ରଶାସନ ପକ୍ଷରୁ ଏହାକୁ ନେଇ କଟକଣା ମଧ୍ୟ ବୃଦ୍ଧି କରୁଥିବା ଦେଖାଯାଇଛି ।