ବ୍ରହ୍ମପୁର: କୋରୋନାକୁ ନେଇ ଗଞ୍ଜାମ ଜିଲ୍ଲାର ସ୍ଥିତି ଏକ ପ୍ରକାର ସଙ୍ଗୀନ ରହିଥିବା ବେଳେ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପୁଣି ଥରେ ଜିଲ୍ଲାବାସୀଙ୍କୁ ଭିଡିଓ ବାର୍ତ୍ତାରେ ଅଧିକ ସତର୍କତା ଅବଲମ୍ବନ କରିବା ନିମନ୍ତେ ଅନୁରୋଧ କରିଛନ୍ତି ।
ଗଞ୍ଜାମରେ ସାଧାରଣ ଲୋକଙ୍କୁ ସରକାରୀ ଅଫିସ ମନା ଗଞ୍ଜାମ ଜିଲ୍ଲାରେ ଗତ ୯ ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ କରାଯାଇଥିବା ସଟଡାଉନ୍ ପରେ ଜିଲ୍ଲା ପ୍ରଶାସନ ତିନି ଦିନ ଅର୍ଥାତ୍ ୧୪ ତାରିଖ ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ନିମନ୍ତେ କୋହଳ କରିଛନ୍ତି । ଜିଲ୍ଲାପାଳ, ଜିଲ୍ଲାବାସୀଙ୍କୁ ଅନୁରୋଧ କ୍ରମେ ଜଣାଇଛନ୍ତି ଯେ, ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ନିମନ୍ତେ ଘରୁ ବାହାରକୁ ଗଲା ବେଳେ ମାସ୍କ ପିନ୍ଧିବା ଓ ସମାଜିକ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ବ ପ୍ରଦାନ କରିଛନ୍ତି । ମାସ୍କ ପିନ୍ଧିବା ବେଳେ ମାସ୍କଟି ଯେପରି ନାକ ଏବଂ ପାଟିକୁ ସମ୍ପୂର୍ଣ୍ଣ ରୂପେ ଘୋଡାଇ ରଖିବ ସେଥି ସକାଶେ ନଜର ଦେବା ପାଇଁ ପରାମର୍ଶ ଦେଇଛନ୍ତି । ଯେଉଁ ମାନଙ୍କ ଠାରେ ଗ୍ଲୋବସ୍ ଅଛି ସେମାନେ ଗ୍ଲୋବସର ବ୍ୟବହାର କରନ୍ତୁ ବୋଲି ମଧ୍ୟ ଜିଲ୍ଲାପାଳ ଜଣାଇଛନ୍ତି । ସାମାଜିକ ଦୂରତା ବଜାୟ ରଖିବା ବେଳେ ନିହାତି ଭାବରେ ୨ ମିଟର ବ୍ୟବଧାନ ରଖିବାକୁ ଅନୁରୋଧ କରିଛନ୍ତି । ଜନଗହଳି ଠାରୁ ନିଜକୁ ଦୂରେଇ ରୁହନ୍ତୁ ନଚେତ୍ ଏହା ଆମ ପାଇଁ ଅତ୍ୟନ୍ତ ବିପଦ ।
ଜିଲ୍ଲାରେ ମୁଖ୍ୟତଃ ବୟସ୍କ ମଧୁମେହ ଆକ୍ରାନ୍ତ ବ୍ୟକ୍ତି, ରକ୍ତଚାପ ଜନିତ ଚିକିତ୍ସିତ ହେଉଥିବା ବ୍ୟକ୍ତି, କର୍କଟ ରୋଗରେ ଆକ୍ରାନ୍ତ ବ୍ୟକ୍ତି ବିଶେଷ ଙ୍କୁ ନିଜ ଘର ଛାଡି କୌଣସି ମତେ ବାହାରକୁ ଯିବା ପାଇଁ ବାରଣ କରିଛନ୍ତି । ୧୪ ତାରିଖ ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ଜନ ସାଧାରଣଙ୍କ ଯିବା ଆସିବା କୋହଳ କରାଯାଇ ଦୃଷ୍ଟି ରଖାଯାଇଛି । ଯଦି ସାମାଜିକ ଦୂରତା ଅବଲମ୍ବନ, ମାସ୍କ ପରିଧାନ ଇତ୍ୟାଦି କୋଭିଡ୍ ନିୟମ ପାଳନ ନ ହେଲେ ପୁନର୍ବାର ଲକ୍ ଡାଉନ୍ କରିବାପାଇଁ ଜିଲ୍ଲା ପ୍ରଶାସନ ବାଧ୍ୟ ହେବ ଏବଂ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସତର୍କ କରାଇଛନ୍ତି । ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ କାର୍ଯ୍ୟାଳୟ କୁ ସାଧାରଣ ଜନତାଙ୍କ ନିମନ୍ତେ ବାରଣ କରାଯାଇଛି । ଗ୍ରାମାଞ୍ଚଳ ଲୋକେ ସହରାଞ୍ଚଳକୁ ଯାଆନ୍ତୁ ନାହିଁ । ବ୍ରହ୍ମପୁର ସହରକୁ ସିଲ୍ କରିଦିଆଯାଇଛି । ଜନ ସାଧାରଣ ସାମାଜିକ ଦୂରତା ଓ ମାସ୍କ ପରିଧାନ କରି ସତର୍କତା ଅବଲମ୍ବନ କଲେ କରୋନା ଠାରୁ ବିଜୟ ହାସଲ କରିହେବ ବୋଲି ଜିଲ୍ଲାପାଳ ଜଣାଇଛନ୍ତି ।
ସୂଚନା ଥାଉକି ବର୍ତ୍ତମାନ ରାଜ୍ୟରେ କୋରୋନା ଦିନକୁ ଦିନ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରୁଛି । ରାଜ୍ୟରେ ହୁ ହୁ ହୋଇ କ୍ରମାଗତ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସାରା ରାଜ୍ୟରେ ଗଞ୍ଜାମ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ 4335 ରହିଛନ୍ତି । ଜିଲ୍ଲାରୁ ମୋଟ 1856 ଜଣ ବର୍ତ୍ତମାନ ଚିକିତ୍ସାଧୀନ ରହିଛନ୍ତି ଏବଂ 2433 ଜଣ ସୁସ୍ଥ ହୋଇ ଫେରିଛନ୍ତି ଏବଂ ଜିଲ୍ଲାରେ 44 ଜଣଙ୍କ ମୃତ୍ୟୁ ଘଟିଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ