ଓଡିଶା

odisha

ETV Bharat / state

ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲା ଗଞ୍ଜାମ ଆୟୁଷ ଡାକ୍ତର ସଙ୍ଘ - Ganjam Ayush doctor Association

ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଣଦେଖା କରାଯାଉଥିବା ଅଭିଯୋଗ କରିଛନ୍ତି ଗଞ୍ଜାମ ଜିଲ୍ଲାର ଆୟୁଷ ଡାକ୍ତର ସଙ୍ଘ । ଏନେଇ ଜିଲ୍ଲା ଆୟୁଷ ଡାକ୍ତର ସଙ୍ଘର ସଦସ୍ୟମାନେ ସଦର ମହକୁମ୍ମା ଛତ୍ରପୁରଠାରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲା ଗଞ୍ଜାମ ଆୟୁଷ ଡାକ୍ତର ସଙ୍ଘ
ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲା ଗଞ୍ଜାମ ଆୟୁଷ ଡାକ୍ତର ସଙ୍ଘ

By

Published : May 23, 2020, 10:52 AM IST

ବ୍ରହ୍ମପୁର: କୋରୋନା ମୁକାବିଲା ନେଇ ଆଗ ଧାଡିର ଯୋଦ୍ଧା ଭଳି କାର୍ଯ୍ୟ କରୁଛନ୍ତି ଆୟୁଷ ଡାକ୍ତର। ଦିନରାତି ଏକ କରି ଜିଲ୍ଲାର ବିଭିନ୍ନ ସଙ୍ଗରୋଧ ଗୃହଠାରୁ ଆରମ୍ଭ କରି ରେଳଷ୍ଟେସନ ଠାରେ ମଧ୍ୟ ପ୍ରବାସୀ ଓଡିଆଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଆସୁଛନ୍ତି । ମାତ୍ର ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କ ପ୍ରତି ଅଣଦେଖା କରାଯାଉଥିବା ଅଭିଯୋଗ କରିଛନ୍ତି ଗଞ୍ଜାମ ଜିଲ୍ଲାର ଆୟୁଷ ଡାକ୍ତର ସଙ୍ଘ । ଏନେଇ ଜିଲ୍ଲା ଆୟୁଷ ଡାକ୍ତର ସଙ୍ଘ ସଦସ୍ୟମାନେ ସଦର ମହକୁମ୍ମା ଛତ୍ରପୁରଠାରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ସାକ୍ଷାତ କରି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।

ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲା ଗଞ୍ଜାମ ଆୟୁଷ ଡାକ୍ତର ସଙ୍ଘ

ଜିଲ୍ଲାବାସୀଙ୍କ ସୁରକ୍ଷା ନେଇ ଦିନରାତି ଏକ କରି କାର୍ଯ୍ୟ କରିଆସୁଥିବା ଆୟୁଷ ଡାକ୍ତର ମାନେ ନିଜ ଜୀବନକୁ ବାଜି ଲଗାଇ କୋରନା ଆକ୍ରାନ୍ତଙ୍କୁ ବିଭିନ୍ନ ସଙ୍ଗରୋଧ ଗୃହ ଏବଂ ଆରଆରଟି ଟିମରେରେ ଯୋଡି ହୋଇ ସେବା ଯୋଗାଇ ଆସୁଛନ୍ତି । ଜିଲ୍ଲାରେ ଏମବିବିଏସ ଡାକ୍ତରଙ୍କ ଅଭାବ ସତ୍ତ୍ବେ ସମସ୍ତ ଆୟୁଷ ଡାକ୍ତରମାନେ ଏହି ଅଭାବକୁ ପୂରଣ କରି ଜିଲ୍ଲା ପ୍ରଶାସନକୁ ସହଯୋଗ କରିବା ସହ କୋଭିଡ-୧୯ କାର୍ଯ୍ୟରେ ଯୋଦ୍ଧା ସଦୃଶ୍ୟ କାର୍ଯ୍ୟ ତୁଲାଉଛନ୍ତି । ଏପରିକି ରାଜ୍ୟ ସ୍ବାସ୍ଥ୍ୟ ସଚିବଙ୍କ ଚିଠି ଅନୁଯାୟୀ ଆୟୁଷ ଡାକ୍ତରମାନଙ୍କୁ ଅଣ କୋଭିଡ ସ୍ବାସ୍ଥ୍ୟସେବାରେ ନିୟୋଜିତ କରିବା ପାଇଁ ନିର୍ଦ୍ଦେଶ ଥିବା ସତ୍ତ୍ବେ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏହାର ବ୍ୟତିକ୍ରମ କରି ଆୟୁଷ ଡାକ୍ତରଙ୍କୁ କୋଭିଡ କେୟାର ସେଣ୍ଟର ଓ ଡେଡିକେଟେଡ କୋଭିଡ ସେଣ୍ଟରରେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲା ଗଞ୍ଜାମ ଆୟୁଷ ଡାକ୍ତର ସଙ୍ଘ

ବିଡମ୍ବନାର ବିଷୟ ଏହି କି ଯେ ଦୀର୍ଘ ୧୪ବର୍ଷ ହେଲା ଆୟୁଷ ଡାକ୍ତରମାନେ ଜିଲ୍ଲାର ବିଭିନ୍ନ ବିପର୍ଯ୍ୟୟ ସମୟରେ ନିଜ ନିଜ ଦାୟିତ୍ବ ତୁଲାଇବା ସହ ସ୍ବଳ୍ପ ଦରମାରେ ନିରନ୍ତର ସେବା ଯୋଗାଇ ଆସିଛନ୍ତି । ରାଜ୍ୟ ସରକାର ଆୟୁଷ ଡାକ୍ତରଙ୍କୁ ସ୍ଥାୟୀ ନିଯୁକ୍ତି ନଦେଇ କେବଳ ଆବଶ୍ୟକ ସମୟରେ ସମସ୍ତ କାର୍ଯ୍ୟ ହାସଲ କରୁଛନ୍ତି । ଏହାସହ ବର୍ତ୍ତମାନ କୋରୋନା ମୁକାବିଲା ସମୟରେ ମଧ୍ୟ ଆୟୁଷ ଡାକ୍ତରମାନଙ୍କୁ ଅଣଦେଖା କରିଛନ୍ତି ବୋଲି ସଙ୍ଘ ଅଭିଯୋଗ କରିଛି । ସେମାନଙ୍କୁ ମାତ୍ର ୨୫ ହଜାର ଟଙ୍କା ଦରମା ଦେଇ ଜୀବନକୁ ବାଜି ଲଗାଇବା କାର୍ଯ୍ୟରେ ନିୟୋଜିତ କରିବା କେତେ ଦୂର ଠିକ୍ ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ବିଶ୍ବ ବିପତ୍ତି ସମୟରେ ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ସ୍ବତନ୍ତ୍ର ଆଥିକ ଓ ସାମାଜିକ ପ୍ୟାକେଜ୍ ଘୋଷଣା କରିଥିଲେ ମଧ୍ୟ ଆୟୁଷ ଡାକ୍ତରମାନଙ୍କ ପାଇଁ କିଛି ପ୍ୟାକେଜ ଘୋଷଣା ହୋଇନି । ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ୫୦ ଲକ୍ଷ ଟଙ୍କାର ଜୀବନ ବୀମା ଘୋଷଣା କରିଥିଲେ ସୁଦ୍ଧା ଏନଆରଏଚ୍ଏମରେ କାର୍ଯ୍ୟରତ ଆୟୁଷ ଡାକ୍ତରମାନଙ୍କ ଓ ତାଙ୍କ ପରିବାରଙ୍କ ପାଇଁ କୌଣସି ଜୀବନ ବୀମା ଘୋଷଣା କରାଯାଇନାହିଁ ବୋଲି ସଙ୍ଘ ପକ୍ଷରୁ କୁହାଯାଇଛି । ଜିଲ୍ଲାର କୋଭିଡ ହସ୍ପିଟାଲରେ ବର୍ତ୍ତମାନ କିଛି ଦିନ ତଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଯୁକ୍ତି ଦେଇଥିବା ଆୟୁଷ ଡାକ୍ତରଙ୍କ ଦିନକୁ ୨୨୦୦ ଟଙ୍କା ହାରରେ ମାସକୁ ୬୬ହଜାର ଟଙ୍କା ପାଇବା ସ୍ଥଳେ ଏନଆରଏଚ୍ଏମରେ କାର୍ଯ୍ୟରତ ଆୟୁଷ ଡାକ୍ତରମାନଙ୍କୁ ମାତ୍ର ୨୫ ହଜାର ଟଙ୍କା ଦେଇ କାର୍ଯ୍ୟ କରାଇବା କେତେ ଠିକ୍ ବୋଲି ସଙ୍ଘ ପ୍ରଶ୍ନ କରିଛି । ତେବେ ସଙ୍ଘ ପକ୍ଷରୁ ଜିଲ୍ଲାର କୋରନା ମୁକାବିଲା ନେଇ ସଦସ୍ୟମାନେ କାର୍ଯ୍ୟ କରୁଛନ୍ତି । ଆଗକୁ ମଧ୍ୟ କରିବେ । ମାତ୍ର ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ସେମାନଙ୍କ ବିଭିନ୍ନ ଦାବି ସମ୍ପର୍କରେ ଗୁରୁତ୍ବ ଦେବାକୁ ସଙ୍ଘ ପକ୍ଷରୁ ଅନୁରୋଧ କରାଯାଇଛି ।

ଏହି ଦାବିପତ୍ର ପ୍ରଦାନ ବେଳେ ଜିଲ୍ଲା ଆୟୁଷ ଡାକ୍ତର ସଙ୍ଘର ଉପଦେଷ୍ଟା ତଥା ପୂର୍ବତନ ରାଜ୍ୟ ସଭାପତି ଡାକ୍ତର ଚନ୍ଦ୍ରଶେଖର ମିଶ୍ର, ଉପଦେଷ୍ଟା ଡାକ୍ତର ରାଜ କିଶୋର ସାହୁ, ଡାକ୍ତର କମଳ ଦାସ, ରାଜ୍ୟ ସଂଯୋଜକ ଡାକ୍ତର ସରୋଜ ପ୍ରଧାନ, ଜିଲ୍ଲା ଯୁଗ୍ମ ସମ୍ପାଦକ କୃଷ୍ଣ ଶରଣ ପାଲ୍ , କୋଷାଧ୍ୟକ୍ଷ ଡାକ୍ତର ମନୋଜ ତ୍ରିପାଠୀ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ ।

ଅପରପକ୍ଷ ଜିଲ୍ଲାପାଳ କୁଲାଙ୍ଗେ ସଙ୍ଘ ପକ୍ଷରୁ ଦିଆଯାଇଥିବା ଦାବି ପତ୍ରକୁ ଗ୍ରହଣ କରି ରାଜ୍ୟ ସରକାରଙ୍କ ନିକଟକୁ ପଠାଇବେ ବୋଲି କହିଛନ୍ତି । ଏଥିସହ ସମସ୍ତଙ୍କୁ ଏହି କରୋନା ମୁକାବିଲା କାର୍ଯ୍ୟ କରୁଥିବାରୁ ଧନ୍ୟବାଦ ଦେବା ସହ ଆଗାମୀ ଦିନରେ ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ ସେ ଆହ୍ବାନ କରିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ

ABOUT THE AUTHOR

...view details