ବ୍ରହ୍ମପୁର: ଆସନ୍ତା କିଛି ଦିନ ମଧ୍ୟରେ ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଣର ସମୁଦ୍ର ବେଳାଭୂମିରେ ସମୂହ ଅଣ୍ଡାଦାନ କରିବେ ବିରଳ ପ୍ରଜାତିର ଅଲିଭ ରିଡଲେ କଇଁଛ । ଯାହାକୁ ନେଇ ତତ୍ପର ହୋଇଉଠିଛି ଜିଲ୍ଲା ପ୍ରଶାସନ । ଅଣ୍ଡାଦେବା ସମୟରେ କଇଁଛଙ୍କ ସୁରକ୍ଷା ଲାଗି ପ୍ରଶାସନ ପକ୍ଷରୁ ନିଆଯାଇଛି ବିଭିନ୍ନ ପଦକ୍ଷେପ । କଇଁଛଙ୍କ ସୁରକ୍ଷା ଦିଗରେ ଜିଲ୍ଲା ପୋଲିସ ଓ ଜଙ୍ଗଲ ବିଭାଗ, ମିଳିତ ଭାବରେ ଉଦ୍ୟମ କରିବାକୁ ଥିବାବେଳେ କଇଁଛଙ୍କ ସହିତ ସେଲଫି ଉଠାଇବା କିମ୍ବା ସ୍ପର୍ଶ କରିବା ଉପରେ ସମ୍ପୂର୍ଣ୍ଣ ରୋକ ଲଗାଯାଇଛି ।
ବିଶ୍ବର ସାତଟି ସ୍ଥାନରେ ବିରଳ ପ୍ରଜାତିର ଅଲିଭ ରିଡଲେ କଇଁଛ ଆସି କରିଥାନ୍ତି ଅଣ୍ଡାଦାନ । ସେଥିମଧ୍ୟରୁ ରାଜ୍ୟର ତିନୋଟି ସ୍ଥାନ ଗହୀର ମଥା, ଦେବୀ ନଦୀ ମୁହାଣ ଏବଂ ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଣରେ ପ୍ରତ୍ୟେକ ବର୍ଷ ସମୂହ ଅଣ୍ଡାଦାନ ପାଇଁ ଅଲିଭ ରିଡଲେ ଆସିଥାନ୍ତି । ସେମାନଙ୍କ ଅଣ୍ଡାଦେବା ପ୍ରକ୍ରିୟାକୁ ଆଉ କିଛିଦିନ ବାକି ଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷାକୁ ଅଧିକ ଗୁରୁତ୍ବ ଦିଆଯାଇଛି । ଏଥିନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବୈଠକ ହୋଇଛି ।ବୈଠକରେ ଋଷିକୁଲ୍ୟା ମୁହାଣର ୨୦ କିଲୋମିଟର ଦୀର୍ଘ ସମୁଦ୍ର ମଧ୍ୟରେ ମାଛ ମାରିବାକୁ ନିଷେଧ କରାଯାଇଛି । ଏହା ସହ ନିକଟରେ ରହିଥିବା ଗ୍ରାସିମ କମ୍ପାନୀ, ଗୋପାଳପୁର ବନ୍ଦର ଓ ସ୍ଥାନୀୟ ବ୍ୟକ୍ତିବିଶେଷଙ୍କୁ ସମୁଦ୍ର ମଧ୍ୟକୁ ଉଜ୍ଜ୍ବଳ ଆଲୋକ ବିଚ୍ଛୁରଣରୁ ବିରତ ରହିବାକୁ ପରାମର୍ଶ ଦିଆଯାଇଛି । ଏପରିକି ସମୂହ ଅଣ୍ଡାଦାନ ସମୟରେ ସୁରକ୍ଷା ଯୋଗାଇବା ପାଇଁ ସ୍ବେଚ୍ଛାସେବୀ ଏବଂ କର୍ମଚାରୀଙ୍କର ଏକ ୨୦୦ ଜଣିଆ ଦଳ ଗଠନ କରାଯାଇଥିବା କୁହାଯାଇଛି । ସେହିପରି ୧୧ଟି ସ୍ଥାନରେ ଅଲିଭ ରିଡଲେଙ୍କ ଅଣ୍ଡାକୁ ନେଇ ସୁରକ୍ଷିତ ଭାବରେ ରଖିବାକୁ ବ୍ୟବସ୍ଥା କରାଯାଇଥିବା ବେଳେ ଏହି ସମୟରେ ମାଛ ମାରିବାକୁ ବାହାରୁ ଆସୁଥିବା ଲୋକଙ୍କ ଡଙ୍ଗା ଓ ଜାଲକୁ ଜବତ କରିବାକୁ କୁହାଯାଇଛି । ଏଥିପାଇଁ ଚାରୋଟି ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ କରିବା ସହ ସମ୍ବେଦନଶୀଳ ସ୍ଥାନରେ ସିସିଟିଭି ସଂଯୋଗ କରାଯିବ ବୋଲି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି ।ଗଞ୍ଜାମ ଜିଲ୍ଲାର ରଷିକୁଲ୍ୟା ମୁହାଣରେ ଗତବର୍ଷ ପ୍ରାୟ ପାଞ୍ଚ ଲକ୍ଷ ଅଲିଭ ରିଡଲେ କଇଁଛ ଅଣ୍ଡାଦାନରେ ସାମିଲ ହୋଇଥିବା ବେଳେ ଚଳିତବର୍ଷ ଏହା ବୃଦ୍ଧି ହେବ ବୋଲି ଆଶା କରାଯାଉଛି । ଅନ୍ୟପଟେ ଜିଲ୍ଲାର ୫୨ କିଲୋମିଟର ବେଳାଭୂମି ମଧ୍ୟରୁ ରଷିକୁଲ୍ୟା ମୁହାଣର ପାଞ୍ଚ କିଲୋମିଟର ଅଣ୍ଡାଦେବା ପାଇଁ ଅତ୍ୟନ୍ତ ଅନୁକୂଳ ସ୍ଥାନ ଭାବରେ ଅଲିଭ ରିଡଲେମାନେ ବାଛି ନେଇଥିବାରୁ ସମୁଦ୍ର କୂଳକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ କରିବା ସହ ପ୍ରଥମ ଥର ପାଇଁ ବାହୁଦା ନଦୀ ମୁହାଣରେ କଇଁଛ ଅଣ୍ଡାଦାନକୁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଯୋଗାଇଦେବାକୁ ସୁରକ୍ଷା ନେଇ ବସିଥିବା ବୈଠକରେ ସ୍ଥିର ହୋଇଛି । ତେବେ ସୁରକ୍ଷା ନେଇ ହୋଇଥିବା ବୈଠକରେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାୟ , ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଆଶିଷ କୁମାର ବେହେରାଙ୍କ ସମେତ ଜଙ୍ଗଲ ବିଭାଗ ଏବଂ ପ୍ରଶାସନର ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ ।ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ