ବ୍ରହ୍ମପୁର: ଆସନ୍ତା ମାର୍ଚ୍ଚ ମାସର ୧୮ ତାରିଖ ଠାରୁ ୨୨ ତାରିଖ ପର୍ଯ୍ୟନ୍ତ 5 ଦିନ ବ୍ୟାପୀ ବ୍ରହ୍ମପୁରରେ ଆୟୋଜିତ ହେବାକୁ ଯାଉଛି ଚଳିତ ବର୍ଷର ତ୍ରିଂଶତମ ଦକ୍ଷିଣ ଓଡିଶା ନାଟକ ମହୋତ୍ସବ ତଥା ଚତୁର୍ଥ ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ ୨୦୨୧ । ଚଳିତ ବର୍ଷର ନାଟକ ମହୋତ୍ସବ ‘ଗଞ୍ଜାମ ଜିଲ୍ଲା ମଞ୍ଚ କଳାକାର ସମ୍ମିଳନୀ’ ଆୟୋଜକ ରହିଛି । ଏହାସହ ‘ଈଶା ଭିଜନ’ ସହ ଆୟୋଜକ ଭାବରେ ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।
ଏହି ଅବସରରେ ସହରରେ ଅନୁଷ୍ଠାନର ସଭାପତି ବଳରାମ ଦାସ ସଭାପତିତ୍ବରେ ଆୟୋଜିତ ସମ୍ମିଳନୀରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ମହାରଣା ଚଳିତ ବର୍ଷର ନାଟକ ମହୋତ୍ସବ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ୧୯୯୦ ମସିହା ଠାରୁ ଦୀର୍ଘ 30 ବର୍ଷ ମଧ୍ୟରେ ୨୫୦ ରୁ ଅଧିକ ନାଟକ ମଞ୍ଚସ୍ଥ କରାଇବା ସହ ଅନୁଷ୍ଠାନ ୨୦୦୦ ରୁ ଅଧିକା ନୂତନ କଳାକାର ସୃଷ୍ଟି କରେଇବାର ଉପଲବ୍ଧୀ ହାସଲ କରିଛି । ଅନୁଷ୍ଠାନର ପ୍ରତି ବର୍ଷ ବହୁ ବାଧାବିଘ୍ନକୁ ସାମ୍ନା କରି ମଧ୍ୟ ମଞ୍ଚ ନାଟକକୁ ଦର୍ଶକ ଏବଂ ନାଟକ ପ୍ରେମୀଙ୍କ ମଧ୍ୟରେ କିଛି ନୁଆ ଭାବନା ନେଇ ନୂଆ ରୂପରେ ପଦାର୍ପିତ ହୋଇଥାଏ।
ଚଳିତ ବର୍ଷ କୋଭିଡ଼ କଟକଣା ଯୋଗୁଁ ନାଟକ ମହୋତ୍ସବ ସରକାରଙ୍କ କୋଭିଡ଼ ଗାଇଡ଼ଲାଇନ ଭିତରେ ସ୍ଥାନୀୟ ପ୍ରକାଶମ ହଲ ଠାରେ ପାଞ୍ଚ ଦିନ ବ୍ୟାପୀ ଆୟୋଜନ କରାଯାଉଛି। ମାର୍ଚ୍ଚ ୧୮ ତାରିଖ ଉଦଘାଟନୀ ସନ୍ଧ୍ୟାରେ ବ୍ରହ୍ମପୁରର ନୁପୁର ଅନୁଷ୍ଠାନ ପକ୍ଷରୁ ନାଟକ ‘ଚକ୍ରବ୍ୟୁହ’ ମଞ୍ଚସ୍ଥ କରାଯିବ । ଏହାପରେ ମାର୍ଚ୍ଚ ୧୯ ତାରିଖ ଦିନ ଶ୍ରୀ ଶ୍ରୀ ନରସିଂହ ନାଟ୍ୟ ସଂସ୍ଥା ସୁରଳ ଆନୁକୂଲ୍ୟରେ ନାଟକ ‘ପ୍ରତିଫଳ’, ମାର୍ଚ୍ଚ ୨୦ ତାରିଖ କଳିଙ୍ଗ କଳାକାର ଅନୁଷ୍ଠାନ ପୁରୀ ତରଫରୁ ନାଟକ ‘କିଏ ?’, ମାର୍ଚ୍ଚ ୨୧ ତାରିଖ ଗଞ୍ଜାମ ଜିଲା ମଞ୍ଚ କଳାକାର ସମ୍ମିଳନୀ ବ୍ରହ୍ମପୁର ତରଫରୁ ସୌଜନ୍ୟ ମୂଳକ ନାଟକ ‘ଦୀପ ତଳ ଅନ୍ଧାର’ ଏବଂ ଶେଷ ସନ୍ଧ୍ୟାରେ ମାର୍ଚ୍ଚ ୨୨ ତାରିଖ ଦିନ ଆଦର୍ଶ କଳାକାର ନାଟ୍ୟ ଅନୁଷ୍ଠାନ ଖୋର୍ଦ୍ଧା ତରଫରୁ ନାଟକ ‘ପାଇକ ପଶା’ ପ୍ରଦର୍ଶିତ କରାଯିବା ପାଇଁ କାର୍ଯ୍ୟକ୍ରମରେ ସ୍ଥାନିତ କରାଯାଇଛି।