ବ୍ରହ୍ମପୁର:ଜୁଆ ଆଡ୍ଡାରେ ଚଢାଉ ବେଳେ ଗଞ୍ଜାମ ଜିଲ୍ଲା କେ.ନୂଆଗାଁ ଥାନା ପୋଲିସକୁ ଆକ୍ରମଣ ଘଟଣା । ଥାନାରେ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଜାରି ରହିଥିବା ନେଇ ସୂଚନା ଦେଲେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ କେ ଶ୍ରବଣ ବିବେକ୍ ଏମ୍ । ତେବେ ଦିଗପହଣ୍ଡି ବ୍ଳକ୍ ଅନ୍ତର୍ଗତ ସିଏଚ୍.ଟିକରପଡ଼ା ଗ୍ରାମର କଲ୍ୟାଣ ମଣ୍ଡପ ପରିସରରେ ଜୁଆ ଆଡ୍ଡା ଚାଲିଥିବା ପୋଲିସ ଚଢାଉ କରିଥିଲା ।ଏହି ସମୟରେ ପୋଲିସକୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ ଜୁଆଡିମାନେ ।
ବ୍ରହ୍ମପୁରରେ ବେଧଢକ ଚାଲିଛି ଅପରାଧ । ପୋଲିସକୁ ଖୁଲମଖୁଲା ଚାଲେଞ୍ଜ୍ ଦେଇ ଗୋଟିଏ ପରେ ଗୋଟିଏ ଅପରାଧିକ କାର୍ଯ୍ୟ କରିଚାଲିଛନ୍ତି ଅପରାଧୀ । ଏଭଳିକି ପୋଲିସ ଉପରକୁ ଆକ୍ରମଣ କରିବାକୁ ମଧ୍ୟ ପଛାଉନାହାନ୍ତି ଦୁର୍ବୃତ୍ତ । ତେବେ ଜୁଆ ଆଡ୍ଡାରେ ଚଢ଼ାଉ ବେଳେ ବ୍ରହ୍ମପୁର ପୋଲିସ ଜିଲ୍ଲାର କେ.ନୂଆଗାଁ ଥାନା ପୋଲିସ ଉପରକୁ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି । ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଳକ୍ କେ.ନୂଆଗାଁ ଥାନା ଅନ୍ତର୍ଗତ ସିଏଚ୍.ଟିକରପଡ଼ା ଗ୍ରାମର କଲ୍ୟାଣ ମଣ୍ଡପ ପରିସରରେ ଜୁଆ ଆଡ୍ଡା ଚାଲିଥିବା ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ।
ଏହାମଧ୍ୟ ପଢନ୍ତୁ..ବେଆଇନ କୁକୁଡା ଲଢେଇ ଓ ଜୁଆ ଆଡ୍ଡା ଉପରେ ଚଢାଉ, 36 ଜୁଆଡି ଗିରଫ
ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ କୌଣସି ମତେ ଖବର ପାଇ ଯାଇଥିଲେ ଜୁଆ ଖେଳରେ ସାମିଲ ରହିଥିବା ବ୍ୟକ୍ତିବିଶେଷମାନେ । ଯାହାକୁ ନେଇ ଏକ ପ୍ରକାର ସଜାଗ ହୋଇଯାଇଥିଲେ । କିଛି ଯୁବକ ଟଙ୍କାକୁ ନିଜ ପକେଟରେ ପୁରାଇ ଚମ୍ପଟ୍ ମାରିବାକୁ ଉଦ୍ୟମ କରୁଥିବା ବେଳେ ଆଉ କେତେକ ଜୁଆ ଆଡ୍ଡାରୁ ଟଙ୍କା ସବୁ ଝରକା ପଟେ ବାହାରକୁ ଫୋପାଡ଼ୁଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି କଲ୍ୟାଣ ମଣ୍ଡପ ଗ୍ରୀଲ୍ ପକାଇ ସେମାନଙ୍କୁ କାବୁ କରିବା ପାଇଁ ଉଦ୍ୟମ କରିବା ବେଳେ ସମସ୍ତେ ସଙ୍ଗଠିତ ହୋଇ ପୋଲିସକୁ ଆକ୍ରମଣ କରିଥିବା ସୂଚନା ରହିଛି । ପୋଲିସ ଗାଡ଼ି ଉପରକୁ ମଧ୍ୟ ଟେକାପଥର ମାଡ଼ ହୋଇଥିବା ବେଳେ ଏକ ପ୍ରକାର ମୁହାମୁହିଁ ପରିସ୍ଥିତି ଉପୁଜିଥିଲା ।