ବ୍ରହ୍ମପୁର: ସମୁଦ୍ର ମଧ୍ୟରୁ ମତ୍ସ୍ୟଜୀବୀଙ୍କୁ ଅପହରଣ ଅଭିଯୋଗ । ବେଆଇନ ମାଛମରାକୁ ବିରୋଧ କରିବାରୁ ଆର୍ଯ୍ୟପଲ୍ଲୀର ପାଞ୍ଚ ଜଣ ମତ୍ସଜୀବିଙ୍କୁ ସମୁଦ୍ର ମଧ୍ୟରୁ ଉଠାଇ ନେଲେ ଆନ୍ଧ୍ରର ମାଫିଆ । ପାଞ୍ଚ ଜଣ ମତ୍ସ୍ୟଜୀବୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ କରିଛନ୍ତି ସମୁଦ୍ର ମଧ୍ୟକୁ ମାଛ ମାରିବାକୁ ଯାଇଥିବା ମତ୍ସ୍ୟଜୀବୀ । ବର୍ତ୍ତମାନ ସୁଦ୍ଧା ସେମାନଙ୍କର କୌଣସି ପତ୍ତା ମିଳିପାରି ନଥିବା ବେଳେ ମେରାଇନ ଥାନାରେ ଏତଲା ଦେଇଛନ୍ତି ନିଖୋଜ ବ୍ୟକ୍ତିଙ୍କ ସମ୍ପର୍କୀୟ ।
ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ଆର୍ଯ୍ୟପଲ୍ଲୀ ଅଞ୍ଚଳର ୧୯ ଜଣ ମତ୍ସ୍ୟଜୀବୀ ଦୁଇଟି ଡଙ୍ଗା ଧରି ଶୁକ୍ରବାର ମାଛ ମାରିବାକୁ ସମୁଦ୍ର ଭିତରକୁ ଯାଇଥିଲେ । ସମୁଦ୍ର ମଧ୍ୟକୁ ଆନ୍ଧ୍ରର ଟ୍ରଲରେ ମାଛ ମାରିବାକୁ କିଛି ବ୍ୟକ୍ତି ଆସିଥିଲେ । କିନ୍ତୁ ବେଆଇନ ମାଛମରାକୁ ନେଇ ଆନ୍ଧ୍ର ଟ୍ରଲରରେ ଆସିଥିବା ବ୍ୟକ୍ତି ଓ ଆଜ୍ଜିପଲ୍ଲୀର ମତ୍ସ୍ୟଜୀବୀଙ୍କ ମଧ୍ୟରେ ବଚସା ହୋଇଥିଲା । ଛୋଟ ଛୋଟ ଦେଶୀ ଡଙ୍ଗାରେ ମାଛ ଧରୁଥିବା ସ୍ଥାନରେ କାହିଁକି ଟ୍ରଲର ନେଇ ମାଛ ଧରିବାକୁ ଆସିଛ ବୋଲି ଆନ୍ଧ୍ରରୁ ମାଛ ମାରିବାକୁ ଆସିଥିବା ବ୍ୟକ୍ତିଙ୍କୁ କହିଥିଲେ । ଏହାପରେ ଟ୍ରଲରେ ଆସିଥିବା ବ୍ୟକ୍ତି ଆର୍ଯ୍ୟପଲ୍ଲୀ ଅଞ୍ଚଳର ପାଞ୍ଚ ଜଣ ମତ୍ସ୍ୟଜୀବୀଙ୍କୁ ଅପହରଣ କରିନେଇଥିବା କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ ।
ଏହା ମଧ୍ୟ ପଢନ୍ତୁ- ସମୁଦ୍ରରୁ ମାଛ ମାରି ଫେରୁଥିବା ବେଳେ ମତ୍ସ୍ୟଜୀବୀ ନିଖୋଜ, ମିଳୁନି ପତ୍ତା