ବ୍ରହ୍ମପୁର :ଚାଷୀଙ୍କୁ ମିଳୁନି ଫସଲବୀମା ଅର୍ଥରାଶି । ଯାହା ଫଳରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଚାଷୀ । ଏନେଇ ବ୍ରହ୍ମପୁର ଠାରେ ରହିଥିବା ସହକାରୀ ନିବନ୍ଧକଙ୍କୁ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଚାଷୀମାନେ ଲକ୍ଷ୍ମୀନାରାୟଣ ସେବା ସମିତିର ସମ୍ପାଦକଙ୍କୁ ସମବାୟରେ ଚାଷୀ ଋଣ ଆବେଦନ କରିବା ପାଇଁ ନିଜ ଜମିର ପଟ୍ଟା ଓ ରସିଦ ଦାଖଲ କରିଥିବା ବେଳେ, ଅର୍ଥରାଶି ମିଳନଥିବା ଅଭିଯୋଗ ହୋଇଛି ।
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମ ପଞ୍ଚାୟତରେ ଥିବା ଆଦିବାସୀ ଅଧ୍ୟୁଷିତ ଗାଁର ଚାଷୀମାନେ ଲକ୍ଷ୍ମୀନାରାୟଣ ସେବା ସମିତିର ସମ୍ପାଦକଙ୍କୁ ସମବାୟରେ ଚାଷୀ ଋଣ ଆବେଦନ କରିବା ପାଇଁ ନିଜର ଜମିର ପଟ୍ଟା ଓ ସିସ୍ତୁ ରସିଦ ଦାଖଲ କରିଥିଲେ । ଏହା ପରେ ଦୁଇ ତିନି ଥର ସମ୍ପାଦକଙ୍କୁ ଅନୁରୋଧ କରିଥିଲେ ମଧ୍ୟ ସେ ଜାଣିଶୁଣି ସମବାୟ ଋଣ ଚାଷୀ ଭାଇ ମାନଙ୍କୁ ପ୍ରଦାନ କରୁନାହାନ୍ତି । ସେ ଚାଷୀମାନଙ୍କୁ ରଣ ଦେବା ବଦଳରେ ବାରମ୍ବାର ବିଭିନ୍ନ ବାହାନା ଦେଖାଇ ଗୋଟିଏ ପରେ ଗୋଟିଏ ତାରିଖରେ ଆସିବାକୁ କହିବା ପରେ ସେମାନଙ୍କୁ ନାନା ହଇରାଣ ହରକତ କରୁଥିବା ଅଭିଯୋଗ ହୋଇଛି ।
ଏନେଇ ଗତ ବର୍ଷ ଡିସେମ୍ବର ୧୩ ତାରିଖରେ ବ୍ରହ୍ମପୁର ସମବାୟ କାର୍ଯ୍ୟାଳୟରେ ଚାଷୀମାନେ ଅଭିଯୋଗ କରିଥିଲେ । ଏନେଇ ସମବାୟ ବିଭାଗର ଅଧିକାରୀ ସମ୍ପାଦକଙ୍କୁ ଗତ ୨୦ ତାରିଖ ମଧ୍ୟରେ ସେମାନଙ୍କର ଋଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ହୋଇଥିଲା । ହେଲେ ଋଣ ଦେବାର ଧାର୍ଯ୍ୟ ତାରିଖ ଅତିକ୍ରମ ହୋଇଥିଲେ ମଧ୍ୟ ତାହାକୁ ପ୍ରଦାନ କରାଯାଇ ନଥିଲା । ଏହାକୁ ନେଇ ଗ୍ରାମବାସୀ ବିଜେପି ନେତା ଶ୍ରୀକାନ୍ତ ପାଢ଼ୀଙ୍କ ନେତୃତ୍ଵରେ ସମବାୟ ସମିତି ସମୂହ ବ୍ରହ୍ମପୁର ମଣ୍ଡଳର ସହକାରୀ ନିର୍ବନ୍ଧକ ପର୍ଶୁରାମ ପାତ୍ରଙ୍କୁ ସାକ୍ଷାତ କରି ଏହି ବିଷୟକୁ ତୁରନ୍ତ ସମାଧାନ କରିବାକୁ ଦାବି କରିଥିଲେ ।