ବ୍ରହ୍ମପୁର: ଭାଙ୍ଗିଲା ଶହ ଶହ ବର୍ଷର ପରମ୍ପରା । ଲାଗିଲା ପ୍ରଶାସନର କୋଭିଡ କଟକଣା ଆଉ ବନ୍ଦ ହେବ ପ୍ରସିଦ୍ଧ ମା ବୁଢ଼ୀ ଠାକୁରାଣୀ ଯାତ୍ରା । କୋରୋନା କଟକଣାକୁ ନେଇ ଚଳିତବର୍ଷ ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢୀ ଠାକୁରାଣୀଙ୍କ ଯାତ୍ରାରେ ମାଙ୍କ ରୀତିନୀତି ଏବଂ ପରମ୍ପରା ପାଳନକୁ ନେଇ ଶେଷରେ ପ୍ରଶାସନ ଓ ଯାତ୍ରା ପରିଚାଳକଙ୍କ ମଧ୍ୟରେ ବାଦ ବିବାଦ ପରେ ବନ୍ଦ କରାଯିବାକୁ ନିଆଯାଇଛି ନିଷ୍ପତ୍ତି ।
ଶୁକ୍ରବାର ମଧ୍ୟରାତ୍ରରେ ମାଙ୍କ ଶୁଭଖୁଣ୍ଟି ସ୍ଥାପନ ପାଇଁ ସମୟ ଧାର୍ଯ୍ୟ ହେବା ପାଇଁ ସ୍ଥିର ହୋଇଥିଲା ହେଲେ ପ୍ରଶାସନର କଟକଣା ଏବଂ ସହରବାସୀଙ୍କ ମଙ୍ଗଳକାମନା ଦୃଷ୍ଟିରୁ ଯାତ୍ରାକୁ ଚଳିତବର୍ଷ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ହୋଇଥିବା ନେଇ ଘୋଷଣା କରିଥିଲେ ଯାତ୍ରାର ମୁଖ୍ୟ ପରିଚାଳକ । ଯାତ୍ରା ପରିଚାଳକଙ୍କ ସହ କମିଶନର ଓ ଉପଜିଲ୍ଲାପାଳଙ୍କ ମଧ୍ୟରେ ଶେଷ ଆଲୋଚନା ହୋଇ ଯାତ୍ରା ବନ୍ଦ ରଖିବା ନିମନ୍ତେ ସ୍ଥିର ହୋଇଛି । ପ୍ରଶାସନ ତରଫରୁ ୭ ଦିନ ଯାତ୍ରା କରିବାକୁ ଅନୁମତି ଦେବା ବେଳେ ଯାତ୍ରା ପରିଚାଳକ ଦୁର୍ଗା ପ୍ରସାଦ ଦେଶୀ ବେହେରା ୨୧ ଦିନ ଯାତ୍ରା ହେଲେ ମାଆଙ୍କ ସମସ୍ତ ପରମ୍ପରା ହୋଇପାରିବ ବୋଲି କୁହାଯିବା ପରେ ଶେଷରେ ଏଭଳି ନିଷ୍ପତ୍ତି ହୋଇଥିଲା ।