ବ୍ରହ୍ମପୁର: କୋଭିଡ୍ -19 ର ମୁକାବିଲା ପାଇଁ ଚାଲିଛି ଜୋରଦାର କସରତ । ଏଥିପାଇଁ ଆଗଧାଡିର ଯୋଦ୍ଧା ମାନେ ଦିନ ରାତି ଏକ କରି ନିଜର ପ୍ରୟାସ ଜାରି ରଖିଛନ୍ତି । ଏଭଳି ସମୟରେ ଭାଇରାଲ ହେଉଥିବା ଫେକ ନ୍ୟୁଜ ଓ ଗୁଜବ ଚିନ୍ତାର କାରଣ ପାଲଟିଛି ।
କୋରୋନା ମୁକାବିଲାରେ ବାଟ ଉଗାଳୁଛି ଗୁଜବ ଓ ମିଥ୍ୟା ଖବର ଆଉ ଏହାର କବଜାରେ ରାଜ୍ୟର କୋରୋନା ହଟସ୍ପଟ ଗଞ୍ଜାମ । ସର୍ବାଧିକ ପଜିଟିଭି ଚିହ୍ନଟ ଯୋଗୁଁ ଜିଲ୍ଲାରେ କଟକଣା କଡାକଡି । ହେଲେ କିଛି ଅସମାଜିକ ଲୋକଙ୍କ ମିଛ ପ୍ରଚାର କାରଣରୁ ନାନା ହଇରାଣ ହରକତ ହେଉଛନ୍ତି ଜନତା । କେବଳ ଜନତା ନୁହେଁ ଏଥିଯୋଗୁଁ କୋରୋନା ମୁକାବିଲାରେ ଜଟିଳ ସମସ୍ୟାର ସାମ୍ନା କରୁଛି ପ୍ରଶାସନ ।
କେଉଁ ଦେଶର ପୁରାତନ ଘଟଣାବଳୀ କୁ ଆଣି କୋରୋନା ସହିତ ଜଡିତ କରିବା, ଉକ୍ତ ସ୍ଥାନରେ କୋରୋନା ଆକ୍ରାନ୍ତ ଅଛନ୍ତି , ଲକଡାଉନ ଅବଧି ବଢିବ , ଏହି ଲୋକଙ୍କୁ କୋରୋନା ହୋଇଛି , ମଦର ହୋମ ଡେଲିଭରି , ଏଭଳି ବିଭିନ୍ନ ଗୁଜବ ହ୍ବାଟସଆପ ଗ୍ରୁପ ଓ ଫେସବୁକରେ ରେ ଭାଇରାଲ କରି ଲୋକଙ୍କୁ ବିଭ୍ରାନ୍ତ କରାଯାଉଛି । ଏସବୁ ଉପରେ ରୋକ ଲଗାଇକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଥିବା ବେଳେ ପୋଲିସ ଏହା ପ୍ରତି କଡା ନଜର ରଖିବା ସହ ସାଇବର ସେଲକୁ ମଧ୍ୟ ଏ ନେଇ ଅନୁଧ୍ୟାନ କରିବାକୁ କୁହାଯାଇଥିବା କହିଛନ୍ତି ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ।
ଫେକ ନ୍ୟୁଜରେ ବିଶ୍ବାସ କରନ୍ତୁନି ଛତ୍ରପୁର ଥାନା ଅଞ୍ଚଳରେ ଏଭଳି ଫେକ ନ୍ୟଜ ହ୍ବାଟସଆପରେ ସେୟାର କରିବା ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ସମସ୍ତ ଥାନା ଅଧିକାରୀ ଫେକ୍ ନ୍ୟୁଜ୍ କୁ ସେୟାର କରୁଥିବା ନେଇ ଅଧିକ ସତର୍କ ହୋଇ ରହିବାକୁ ନିର୍ଦ୍ଦେଶ ଦେଇଛି । ଏପରିକି ବ୍ରହ୍ମପୁରରେ ମିଥ୍ୟା ଗୁଜବ ନେଇ ସହରରେ ପୂର୍ବରୁ ତିନି ଜଣଙ୍କୁ ଗିରଫ କରାଯାଇଥିବାର ମଧ୍ୟ ନଜର ରହିଛି ।
ଏଭଳି ମହାମାରୀ ସମୟରେ ମୁଖ୍ୟତଃ ଫେକ ନ୍ୟୁଜ ମାଷ୍ଟରମାଇଣ୍ଡ ବହୁଳ ମାତ୍ରାରେ ଯୁବବର୍ଗ ହିଁ ହୋଇଥାନ୍ତି । ଏସବୁ ବ୍ୟତିବ୍ରସ୍ତ କରାଉଥିବା ଖବର ପ୍ରସାର କରୁଥିୂବା ବ୍ୟକ୍ତିବିଶେଷ ରାଷ୍ଟ୍ରଦ୍ରୋହ କାର୍ଯ୍ୟ କରୁଥିବା କୁହାଯାଇପାରେ ବୋଲି ସହରବାସୀ ମତ ରଖିଛନ୍ତି । ତେବେ ସରକାରଙ୍କ ପକ୍ଷରୁ ସାଧାରଣ ଜନତାଙ୍କ ଉଦ୍ଦେଶ୍ୟରେ ବହୁ ସୂଚନା ସରକାରୀ ୱେବସାଇଡରେ ଆପଲୋଡ କରାଯାଉଛି । ଏଣୁ ମିଛ ଖବର ଉପରେ ବିଶ୍ବାସ ନ କରିବା ପାଇଁ ପ୍ରଶାସନ ପକ୍ଷରୁ ଟ୍ବିଟ କରି ପରାମର୍ଶ ଦିଆଯାଇଛି ।
ବର୍ତ୍ତମାନର ସମ୍ବେଦନଶୀଳ ସମୟରେ ମିଛ ଆଦୌ ଗ୍ରହଣନୀୟ ନୁହେଁ । କାହିଁକି ନା କେଇ ପଦ ମିଛ କାହାର ଜୀବନ ନେବା ସହ ମହାମାରୀ ଲଢେଇକୁ ଦୁର୍ବଳ କରିରଖିବ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ