ବ୍ରହ୍ମପୁର:ଲୋକକଳା ଓ ଲୋକ ସଂସ୍କୃତିର ଆଦିକ୍ଷେତ୍ର ଭାବରେ ପରିଚିତ ଗଞ୍ଜାମ ଜିଲ୍ଲା । ଅନେକ ନୃତ୍ୟକଳା ମଧ୍ୟରୁ ଦାସକାଠିଆ ନୃତ୍ୟକୁ ଗଞ୍ଜାମର ଏନ୍ତୁଡିଶାଳ କୁହାଯାଏ । ଆଗ କାଳରେ ଦାସକାଠିଆ ମନୋରଞ୍ଜନର ଏକ ମୁଖ୍ୟ ମାଧ୍ୟମ ରହିଥିଲା । ବିଭିନ୍ନ ପର୍ବପର୍ବାଣି ଠାରୁ ଆରମ୍ଭ କରି ଯାତ୍ରା ମହୋତ୍ସବରେ ପରିବେଷଣ କରାଯାଉଥିଲା ଦାସକାଠିଆ ନୃତ୍ୟ । ହେଲେ ଆଧୁନିକ ଯୁଗରେ ଧିରେ ଧିରେ ଏହା ଲୋପ ପାଉଥିବା ବେଳେ ଏହାକୁ ବଞ୍ଚାଇ ରଖିବା ପାଇଁ ଜାରି ରହିଛି ପ୍ରୟାସ ।
ଏହି ନୃତ୍ୟ ପରିବେଷଣ ସମୟରେ ହାତରେ ଦୁଇଟି କାଠକୁ ଧରି ଅତ୍ୟନ୍ତ ସୁନ୍ଦର ଭାବରେ ବଜାଇ ଗୀତ ଗାଇ ଓ ଅଭିନୟ ମାଧମରେ ନୃତ୍ୟ ପରିବେଷଣ କରାଯାଏ । ପୁରାଣ ତଥା ତ୍ରେତୟା ଯୁଗରୁ କୁଆଡେ ଏହାର ଆରମ୍ଭ ହୋଇଥିବା କୁହାଯାଏ । ଦାସକାଠିଆ ଏକ ପାରମ୍ପରିକ ଓଡ଼ିଆ ସଙ୍ଗୀତ-ନାଟକଳା । ଦାସ ଶବ୍ଦର ଅର୍ଥ ସେବକ ଓ କାଠିଆ ଅର୍ଥ କାଠରେ ତିଆରି ଯୋଡା । କାଠରେ ନିର୍ମିତ ଯେଉଁମାନେ ଦାସକାଠିଆ ପରିବେଷଣ କରନ୍ତି ସେମାନଙ୍କୁ ଗାହାଣ ଓ ପାଳିଆ କୁହାଯାଏ। ଏହା ମୁଖ୍ୟତଃ କାଠରେ ପ୍ରସ୍ତୁତ ଏହି ବାଦ୍ୟଯନ୍ତ୍ର ଯାହାକୁ ହାତରେ ଧରି ବଜାଇ ଗୋଟିଏ ଦଳରେ ଦୁଇ ଜଣ ଏଭଳି ସଙ୍ଗୀତ ପରିବେଷଣ କରିଥାନ୍ତି ।
ବଡ଼ ଆକାରର ଦାସକାଠିକୁ ରାମତାଳି ନାମରେ ଅଭିହିତ କରାଯାଇଥାଏ । ଏହି ରାମତାଳିର ବର୍ଣ୍ଣନା କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ବୈଦେହୀଶ ବିଳାସରେ ମଧ୍ୟ ରହିଛି । ପରିବେଷଣ ସମୟରେ ହାତରେ ଥିବା ଯୋଡ଼ା କାଠିଆକୁ ବଜାଇ ସଙ୍ଗୀତ ଓ ଅଭିନୟ କରାଯାଇଥାଏ । ମୁଖ୍ୟତଃ ଏହି ନୃତ୍ୟରେ ପୌରାଣିକ କାହାଣୀ ସ୍ଥାନ ପାଉଥିବା ବେଳେ ବର୍ତ୍ତମାନ ଅନେକ ଜନ ସଚେତନତା ଓ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମରେ ଦାସକାଠିଆ ମାଧ୍ୟମରେ ପରିବେଷଣ କରାଯାଉଛି ।