ବ୍ରହ୍ମପୁର:ଏଣିକି ପ୍ରତ୍ୟେକ ଶୁକ୍ରବାର ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସମସ୍ତ କର୍ମଚାରୀ ପିନ୍ଧିବେ ଖଦି ଲୁଗା । ଖଦି ଲୁଗାକୁ ଅଧିକ ଲୋକପ୍ରିୟତା କରାଇବା ପାଇଁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ତରଫରୁ ଏଭଳି ପ୍ରୟାସ ଆରମ୍ଭ କରାଯାଇଛି । ସପ୍ତାହର ଶୁକ୍ରବାର ଦିନ ସମସ୍ତ କର୍ମଚାରୀ ଖଦି ପିନ୍ଧିବାକୁ ବିଶ୍ବବିଦ୍ୟାଳୟ ପକ୍ଷରୁ ସମସ୍ତ କର୍ମଚାରୀଙ୍କୁ ଅନୁରୋଧ କରାଯାଇଛି । ତେବେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତରଫରୁ ଏହା କୌଣସି ବାଧ୍ୟତାମୂଳକ କରାଯାଇନାହିଁ । ବୁଣାକାରଙ୍କ ପ୍ରତି ରହିଥିବା ଭଲପାଇବା ଏବଂ ହାତବୁଣା ଲୁଗାର ପ୍ରଚାରପ୍ରସାର ପାଇଁ ଏହିପରି ପଦକ୍ଷେପ ନିଆଯାଇଛି ବୋଲି କୁହାଯାଇଛି ।
କିନ୍ତୁ କଲେଜର ଏହି ପଦକ୍ଷେପ ପାଳିବା ବାଧ୍ୟତାମୂଳକ ନୁହେଁ ବୋଲି କହିଛନ୍ତି ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ । ଏହା ସହିତ ସେ କହିଛନ୍ତି ଯେ ଖଦି ଲୁଗାର ଚାହିଦାକୁ ଅଧିକରୁ ଅଧିକ ବୃଦ୍ଧି କରିବା ପାଇଁ ଏଭଳି ପ୍ରୟାସ କରାଯାଇଛି । ସେହିପରି ଶୁକ୍ରବାରକୁ ଛାଡି ସପ୍ତାହର ଶନିବାର ଦିନ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କ୍ୟାମ୍ପସ ହେବ ପ୍ରଦୂଷଣ ମୁକ୍ତ । ଅଧ୍ୟାପକ, କର୍ମଚାରୀ ଓ ବିଦ୍ୟାର୍ଥୀ ନିଜ ନିଜର ମୋଟର ସାଇକେଲ, ସ୍କୁଟି ଭଳି ଯାନ ନେଇ କ୍ୟାମ୍ପସ ପରିସରକୁ ଆସିବେ ନାହିଁ ।