ଗଞ୍ଜାମ:ରାଜ୍ୟରେ ପୁଣି ଆଉ ଏକ ହାତୀ ମୃତ୍ୟୁ । ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ଗାଲେରୀ ରେଞ୍ଜ ଅନ୍ତର୍ଗତ ଲେଙ୍ଗଡା ଗାଁ ନିକଟ ଜଙ୍ଗଲରେ ଚିକିତ୍ସାଧୀନ ମାଈ ହାତୀଟିର ମୃତ୍ୟୁ ଘଟିଛି । ଗତ 4ତାରିଖରୁ ହାତୀଟିର ଚିକିତ୍ସା ଚାଲିଥିଲା । ନନ୍ଦନକାନନରୁ ଏକ ବିଶେଷଜ୍ଞ ଦଳ ଆସି ଚିକିତ୍ସା କରୁଥିଲେ । ହେଲେ ଚାରି ଦିନ ସଂଘର୍ଷ କରିବା ପରେ ଆଜି(ବୁଧବାର) ସକାଳେ ହାତୀର ମୃତ୍ୟୁ ଘଟିଛି ।
ଗ୍ୟାଲେରୀ ରେଞ୍ଜ ଲେଙ୍ଗଡ଼ା ଗ୍ରାମ ନିକଟ ଜଙ୍ଗଲରେ ଅସୁସ୍ଥ ମାଈ ହାତୀକୁ ଠାବ କରି ଚିକିତ୍ସା କରାଯାଇଥିଲା । ପ୍ରଥମେ ସ୍ଥାନୀୟ ଡାକ୍ତର ଚିକିତ୍ସା କରୁଥିବାବେଳେ ପରେ ନନ୍ଦନକାନନରୁ ଏକ ଡାକ୍ତରୀ ଦଳ ଘଟଣା ସ୍ଥଳରେ ପହଁଞ୍ଚି ହାତୀର ଚିକିତ୍ସା ଜାରି ରଖିଥିଲେ । ନନ୍ଦନକାନନ ବିଶେଷଜ୍ଞ ଟିମ ପରେ ଜାଣିବାକୁ ପାଇଥିଲେ ଯେ ହାତୀର ପାଟିରେ ସଂକ୍ରମଣ ହୋଇଛି । ଏଥିସହ ସଂକ୍ରମଣ ସ୍ଥାନରେ ପୋକ ଲାଗିରହିଥିବାରୁ ଅସ୍ତ୍ରୋପ୍ରଚାର କରି ତାହାକୁ ସଫା କରିଥିଲେ । ଏହାପରେ ହାତୀର ଚେତା ଫେରେଇବା ପାଇଁ ବନବିଭାଗ କର୍ମଚାରୀଙ୍କ ସହିତ ବିଶେଷଜ୍ଞ ଦଳ ପ୍ରୟାସ କରିଥିଲେ। ଡାକ୍ତରଙ୍କ ସୂଚନା ଅନୁଯାୟୀ ପାଟି ସଂକ୍ରମଣ ଯୋଗୁଁ ହାତୀଟି ଖାଦ୍ୟ ଗ୍ରହଣ କରି ନପାରି ଦୁର୍ବଳ ହୋଇ ପଡ଼ିଥିଲା । ପରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ବନବିଭାଗ କର୍ମଚାରୀମାନେ ହାତୀ ନିକଟରେ ତରଭୁଜ, କଦଳୀ ଏବଂ ବିଭିନ୍ନ ମେଡ଼ିସିନ ଦେବା ସହ ପିଇବା ପାଣିର ବ୍ୟବସ୍ଥା ମଧ୍ୟ କରିଥିଲେ । କିନ୍ତୁ ହାତୀଟିର ଆଜି ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି ।