ଭଞ୍ଜନଗର:ହାତୀ ଶାବକର ମୃତଦେହ ଉଦ୍ଧାର । ଧାନ ବିଲରୁ ହାତୀ ଛୁଆର ମୃତଦେହ ଉଦ୍ଧାର ହୋଇଛି । ଗଞ୍ଜାମ ଜିଲ୍ଲା ଦକ୍ଷିଣ ବନଖଣ୍ଡ ଅଧୀନ ବୁଗୁଡ଼ା ରେଞ୍ଜ ପ୍ରତାପ ଧନଞ୍ଜୟପୁର ଓ ବେଲାପଡା କୋଇଲି ତୋଟା ପାଖ ଧାନ ବିଲରୁ ଏହି ହାତୀଛୁଆର ମୃତଦେହକୁ ଠାବ କରିଛି ବନବିଭାଗ । ଏଥିରେ ହାତୀର ଶୁଣ୍ଢରେ ଶକ୍ତ ଆଘାତ ଲାଗିଥିବା ଦେଖିବାକୁ ମିଳିଛି । ଗତକାଲି(ଶନିବାର) ରାତିରେ କିଛି ହାତୀପଲ ଧାନ ଖାଇବା ପାଇଁ ଆସିଥିଲେ । ତେବେ ବିଲରେ ବନ୍ୟଜନ୍ତୁଙ୍କୁ ଶିକାର କରିବା ପାଇଁ ବିଛାଯାଇଥିବା ତାରରେ ହାତୀ ଛୁଆଟି ଲାଗି ଯାଇଥିଲା । ଯାହାଫଳରେ ହାତୀ ଛୁଆଟିର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି ।
କିନ୍ତୁ ସଠିକ ତଦନ୍ତ ପରେ ହିଁ ଘଟଣାର ସତ୍ୟତା ପଦାକୁ ଆସିବ । ଘଟଣାସ୍ଥଳରେ ବୁଗୁଡ଼ା ରେଞ୍ଜେର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ରାଜ୍ୟରେ ଏଭଳି ଗୋଟିଏ ପରେ ଗୋଟିଏ ହାତୀଙ୍କ ଜୀବନ ଯାଉଛି । ଯାହାକୁ ନେଇ ଚିନ୍ତା ବଢ଼ୁଥିବା ବେଳେ ବନବିଭାଗର କିନ୍ତୁ ନିଦ ଭାଙ୍ଗୁନି । ବନବିଭାଗର ଖାମଖିଆଲି ଯୋଗୁଁ ଏଭଳି ହାତୀମୃତ୍ୟୁ ସଂଖ୍ୟା ବଢୁଛି ବୋଲି ଆଲୋଚନା ହେଉଛି । ସେପଟେ ହାତୀଟି ଅତ୍ୟଧିକ ଧାନ ଖାଇବା କାରଣରୁ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଥିବା କହିଛନ୍ତି ବନବିଭାଗ ଅଧିକାରୀ ।