ବ୍ରହ୍ମପୁର:ସହର ଉପକଣ୍ଠରୁ ପୁଣି ବିଦେଶୀ ମଦ ଜବତ । ନକଲି ବିଦେଶୀ ମଦ ପ୍ରସ୍ତୁତ କରି ବିକ୍ରି ହେଉଥିବା ବେଳେ ଅବକାରୀ ବିଭାଗ ଚଢ଼ାଉ କରି ତିନି ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଗଜପତି ଜିଲ୍ଲା ଅନ୍ତରବା ଅଞ୍ଚଳର ପ୍ରଫୁଲ୍ଲ ସାହୁ ଓ ନକୁଳ ଗମାଙ୍ଗ ଏବଂ ଗଞ୍ଜାମ ଜିଲ୍ଲା ବୁଗୁଡା ଅଞ୍ଚଳର ତାରିଣୀ ଜେନା ।
ସୂଚନା ଅନୁଯାୟୀ, ପ୍ରତ୍ୟେକ ଦିନ ବ୍ରହ୍ମପୁର ଦିଗପହଣ୍ଡି ରାସ୍ତାରେ ବିପୁଳ ପରିମାଣର ନକଲି ମଦ କାରବାର ହେଉଥିବାର ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଅଧିକ୍ଷକ ରମେନ୍ଦ୍ର ନାରାୟଣ ନାୟକଙ୍କ ନିର୍ଦ୍ଦେଶକ୍ରମେ ମଦ ମାଫିଆଙ୍କୁ ଧରିବା ପାଇଁ ଏକ ସ୍ବତନ୍ତ୍ର ଟିମ ଗଠନ ହେଲା । ସଦର ଅଧିକାରୀ ଅର୍ଜୁନ ମଲ୍ଲିକ ଏବଂ ତାଙ୍କ ଟିମ ଡେଙ୍ଗାପଦର ନିକଟରେ ଗାଡି ଯାଞ୍ଚ କରୁଥିବା ସମୟରେ ଜଣେ ବ୍ୟବସାୟୀ ମହିନ୍ଦ୍ରା ପିକଅପ୍ ଭ୍ୟାନ ଯୋଗେ ରାସନ ସାମଗ୍ରୀ ମଧ୍ୟରେ ଦୁଇ କାର୍ଟୁନ ବୋଝେଇ କରି ନକଲି ବିଦେଶୀ ମଦ ବିକ୍ରି କରିବାକୁ ନେଉଥିଲେ । ପୋଲିସ ସନ୍ଦେହ କରି ଗାଡ଼ି ଯାଞ୍ଚ କରିବା ପରେ ମଦ ଜବତ କରିଛି । ଏଥିରେ ଦୁଇ ଜଣଙ୍କୁ ଗିରଫ କରିଥିଲା । ଅନ୍ୟ ଏକ ଯୁବକ ସ୍କୁଟି ଗାଡି ଯୋଗେ ନକଲି ବିଦେଶୀ ମଦ ନେଇ ଆସିଥିବାବେଳେ ଅବକାରୀ ବିଭାଗ ହାବୁଡ଼ରେ ପଡ଼ିଥିଲେ । ସହର ଉପକଣ୍ଠ ଗୌରାଙ୍ଗ ବିହାରର ଏକ ଭଡା ଘରେ ନକଲି ମଦ ପ୍ରସ୍ତୁତ କରୁଥିବା ଜାଣିବାକୁ ପାଇଥିଲା ଅବକାରୀ ବିଭାଗ ।