ବ୍ରହ୍ମପୁର: ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ହୋଇଛି । କିନ୍ତୁ ଗତ ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁଁ ବେହାଲ ବ୍ରହ୍ମପୁର ସହର । ପ୍ରବଳରୁ ଅତି ପ୍ରବଳ ବର୍ଷା ପ୍ରଭାବରେ ସହରର କେତେକ ସ୍ଥାନରେ ପାଣି ଜମା ହୋଇ ରହିଥିବା ଦେଖିବାକୁ ମିଳିଛି ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର ସହର ଚକାଚକ । ରାସ୍ତା ମଧ୍ୟ ଚକାଚକ । ହେଲେ ଏଠାରେ ଅସୁବିଧା ହେଉଛି ସାମନ୍ୟ ବର୍ଷାରେ ନାଳ ପାଣି ରାସ୍ତା ଉପରକୁ ଆସିଯାଏ । ମୁଖ୍ୟତଃ ସହରର ଗଜପତି ନଗର ଅଞ୍ଚଳରୁ ନିଳାଞ୍ଚଳ ନଗର ରାସ୍ତା ଏବେ ପାଲଟିଛି କୃତ୍ରିମ ନଦୀ ସଦୃଶ। ଏଥିଯୋଗୁଁ ସ୍ଥାନୀୟ ବାସିନ୍ଦା ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ।
ଉକ୍ତ ଅଞ୍ଚଳର ମୁଖ୍ୟ ରାସ୍ତାରେ ସାମାନ୍ୟ ବର୍ଷା ହେଲେ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚତାର ପାଣି ଜମି ରହୁଛି । ଦୁଇଦିନରୁ ଲଗାଣ ବର୍ଷା ଯୋଗୁଁ ଅଞ୍ଚଳବାସୀଙ୍କ ଘରେ ପାଣି ଜମି ରହୁଥିବା ଦେଖିବାକୁ ମିଳିଛି। ରାସ୍ତାରେ ପାଣି ଜମି ରହୁଥିବା ଯୋଗୁଁ ସ୍କୁଲ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଜମି ରହିଥିବା ପାଣିରେ ପଶି ଯାଉଛନ୍ତି ।
ଅନ୍ୟପଟେ ଏହି ରାସ୍ତାରେ ବଡ଼ କେନାଲ ନିର୍ମାଣ ହେବା ଦର୍ଶାଇ ଗତ ୨୦୧୪ ମସିହାରୁ ଗତ ପାଞ୍ଚ ବର୍ଷ ଧରି ଗଜପତି ନଗରର ୧୦ମ ଗଳି ଠାରୁ ବାହନାନାଳ ୧୪ତମ ସାହି ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ଓ ଡ୍ରେନକୁ ପ୍ରଶସ୍ତିକରଣ କରାଯାଇ ପାରୁନାହିଁ । ସେହିପରି ବାହାନା ନାଳକୁ ମଧ୍ୟ ରିତିମତ ଭାବରେ ସଫେଇକାର୍ଯ୍ୟ ଡ୍ରେନେଜ୍ ଡିଭିଜନ୍ ହୋଇପାରୁନାହିଁ । ଏନେଇ ସ୍ଥାନୀୟ ଅଞ୍ଚଳରେ ଯାତାୟତ କରୁଥିବା ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ ଆମ ସମ୍ବାଦଦାତା ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ