ଜଗନ୍ନାଥ ସେନା ପକ୍ଷରୁ ଭକ୍ତ ଜାଗରଣ ଯାତ୍ରା ବ୍ରହ୍ମପୁର: ଜଗନ୍ନାଥ ସେନା ପକ୍ଷରୁ ବ୍ରହ୍ମପୁରରୁ ଶୁଭାରମ୍ଭ ହେଲା 'ଭକ୍ତ ଜାଗରଣ ଯାତ୍ରା' । ଶ୍ରୀମନ୍ଦିରର ଚାରି ଦୁଆର ଓ ରତ୍ନଭଣ୍ଡାର ଖୋଲିବାକୁ ଦାବିରେ ଏହି କାର୍ଯ୍ୟକ୍ରମ କରୁଛି ଜଗନ୍ନାଥ ସେନା । ଗୋଷାଣୀନୂଆଗାଁର ଶ୍ରୀ ଜଗନ୍ନାଥ ମନ୍ଦିର ନିକଟରେ ଜଗନ୍ନାଥ ସେନା ପକ୍ଷରୁ ଆରମ୍ଭ ହୋଇଛି 'ଭକ୍ତ ଜାଗରଣ ଯାତ୍ରା' କାର୍ଯ୍ୟକ୍ରମ । ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ନେତୃତ୍ୱରେ ଜଗନ୍ନାଥ ସେନାର କର୍ମକର୍ତ୍ତାମାନେ ବନ୍ଦ କରି ରଖାଯାଇଥିବା ଚାରି ଦ୍ବାର ଖୋଲାଯିବାର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ ।
ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ଏହି ୨ ଦାବିକୁ ନେଇ ଗତ ଅକ୍ଟୋବର ୩ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା । କିନ୍ତୁ ଚାରି ଦୁଆର ଖୋଲିବା ଓ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ହାଇକୋର୍ଟ ଓ ରାଜ୍ୟ ସରକାର ହସ୍ତକ୍ଷେପ କରିଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଦୁଇ ମାସ ମଧ୍ୟରେ ଶେଷ କରି ଚାରି ଦୁଆର ଖୋଲିବାକୁ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଦୁଇ ମାସ ମହଲତ ଦେଇଛନ୍ତି ଅଦାଲତ । ଅବସରପ୍ରାପ୍ତ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟର ବିଚାରପତିଙ୍କ ତତ୍ତ୍ୱାବଧାନରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ରତ୍ନଭଣ୍ଡାର ଖୋଲି ରତ୍ନ ଗଣତି ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି ।
ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, "ଓଡିଶା ବନ୍ଦ ଡାକରାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଥିଲେ ବି ଯବନିକା ପଡ଼ିନାହିଁ । ସେଥିପାଇଁ ଭକ୍ତ ଜାଗରଣ ଓ ସମ୍ପର୍କ ଯାତ୍ରା କରାଯାଉଛି । ଆସନ୍ତା ୨ ମାସ ମଧ୍ୟରେ ରାଜ୍ୟ ସରକାର ଓ ପୁରୀ ଜିଲ୍ଲା ପ୍ରଶାସନ ଚାରି ଦୁଆର ଖୋଲି ଦିଅନ୍ତି ଓ ରତ୍ନଭଣ୍ଡାର ଖୋଲି ମରାମତି ସହ ରତ୍ନ ଗଣତି କରନ୍ତି ତେବେ ଆନ୍ଦୋଳନ ହେବ ନାହିଁ । କିନ୍ତୁ ଯଦି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମୟ ଗଡ଼ାନ୍ତି ତାହେଲେ ନିଜର ଧାର୍ମିକ ଅଧିକାର ପାଇଁ ସାମୟିକ ଭାବେ ସ୍ଥଗିତ ଥିବା ଆନ୍ଦୋଳନ ପୁନର୍ବାର ହେବ ।"
ଏହା ବି ପଢନ୍ତୁ...ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗ: ଶୁଣାଣି ପରେ ମିଠା ବାଣ୍ଟିଲା ଜଗନ୍ନାଥ ସେନା, 7ଦିନରେ କମିଟି ଗଠନ ଦାବି
ସେ ଆହୁରି ମଧ୍ୟ କହିଛନ୍ତି, "ଚାରି ଦୁଆର ବନ୍ଦ ହେବା ଯୋଗୁଁ ଭକ୍ତମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଅଯଥାରେ ଘଣ୍ଟା ଘଣ୍ଟା ଧାଡିରେ ଅପେକ୍ଷା କରିବାକୁ ପଡୁଛି । ରାଜ୍ୟ ଓ ଦେଶର ବିଭିନ୍ନ କୋଣ ଅନୁକୋଣରୁ ଆସୁଥିବା ଭକ୍ତ ନାକେଦମ ହେଉଛନ୍ତି । ତେଣୁ ଭକ୍ତଙ୍କ ସୁବିଧା ଓ ସୁରକ୍ଷିତ ଦର୍ଶନ ଦୃଷ୍ଟିରୁ ଚାରି ଦୁଆର ଆସନ୍ତା ଦୁଇ ମାସ ମଧ୍ୟରେ ଖୋଲାଯିବା ନିହାତି ଆବଶ୍ୟକ । ସମଗ୍ର ରାଜ୍ୟର ପୁରପଲ୍ଲୀରେ ଭକ୍ତ ମାନଙ୍କୁ ଜାଗ୍ରତ କରାଇବା ସହ ପ୍ରଶାସନ ପକ୍ଷରୁ ଆମକୁ ଦିଆଯାଇଥିବା ଲିଖିତ ପ୍ରତିଶ୍ରୁତିକୁ ଓଡ଼ିଶାବାସୀଙ୍କ ନିକଟରେ ପହଞ୍ଚାଇବାର ଗୁରୁ ଦାୟିତ୍ୱ ସେନା ପକ୍ଷରୁ ଚାଲୁ ରହିଲା ।"
ଇଟିଭି ଭାରତ, ବ୍ରହ୍ମପୁର