ଭଞ୍ଜନଗର: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ମାଳମାଳ ହେଲେ ଆଜିବି ସରକାରଙ୍କ ଯୋଜନାରୁ ବଞ୍ଚିତ ରହୁଛନ୍ତି ଯୋଗ୍ୟ ହିତାଧିକାରୀ । ସେହିପରି ଜଣେ ହିତାଧିକାରୀ ହେଉଛନ୍ତି ଗଞ୍ଜାମ ଜିଲ୍ଲାର ପାର୍ବତୀ ମଳିକ । ସ୍ବାମୀ ଚାଲିଗଲା ପରେ ପର ବାରଣ୍ଡାରେ ଦିନ କାଟୁଛନ୍ତି ପାର୍ବତୀ ।
ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଝାଡ଼ବନ୍ଧ ପଞ୍ଚାୟତର ପାଇକ ବଗଡ଼ ଗ୍ରାମରେ ବସବାସ କରନ୍ତି ପାର୍ବତୀ ମଳିକ । ପୁଅ ଓ ଝିଅ ସ୍ବାମୀକୁ ନେଇ ବେଶ୍ ହସଖୁସିରେ ଚାଲିଥିଲା ସଂସାର । ହେଲେ 5 ବର୍ଷ ତଳେ ସ୍ବାମୀ ଚାଲିଗଲା ପରେ ସୁଖର ପରିବାର ଉପରେ ଦୁଃଖର ପାହାଡ ଖସିପଡିଛି । ଏପରି ଅଭାବି ପରିବାରକୁ ଦେଖି ବୋହୂକୁ ଅଲଗା ନେଇ ରହୁଛି ପୁଅ । ଫଳରେ ଝିଅକୁ ଧରି ପର ଘର ବାରଣ୍ଡାରେ ଦିନ କାଟୁଛନ୍ତି ପାର୍ବତୀ । ରାସନ କାର୍ଡରୁ ମିଳୁଥିବା ଚାଉଳ ଏବଂ ବିଧବା ଭତ୍ତା ମାଧ୍ୟମରେ ସିନା ପେଟକୁ ଦି ମୁଠା ଦାନା ମିଳୁଯାଉଛି, ହେଲେ ଖରା ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ଛାତଟିଏ ନାହିଁ ।