ଭଞ୍ଜନଗର: ସରକାରୀ ଯୋଜନାରୁ ବଞ୍ଚିତ ଦିବ୍ୟାଙ୍ଗ ନାବାଳିକା । ଗଞ୍ଜାମ ଜିଲ୍ଲାର ଝୁମୁରି ନାମକ ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ କୌଣସି ସରକାରୀ ସହାୟତା ମିଳୁନଥିବା ଅଭିଯୋଗ ଆସିଛି । ସରକାରୀ ସହାୟତା ପାଇଁ ଜିଲ୍ଲା ତଥା ବ୍ଲକକୁ ଯିବାପାଇଁ ମଧ୍ୟ ପାଖରେ ଅର୍ଥ ନଥିବାରୁ ତୁରନ୍ତ ଝୁମୁରିଙ୍କୁ ସାହାର୍ଯ୍ୟ କରିବାକୁ ସାଧାରଣରେ ଦାବି ହେଉଛି ।
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ବଡ଼ଗୋଚ୍ଛା ପଞ୍ଚାୟତର କଇଠଗୁଡ଼ି ଗ୍ରାମର ତଳସାହିରେ ବସବାସ କରନ୍ତି କାଳିଆ ଦଳବେହେରାଙ୍କ ପରିବାର । କାଳିଆ ଦୀର୍ଘଦିନ ହେବ ଆରପାରିକୁ ଚାଲିଯାଇ ଥିବାବେଳେ ସ୍ତ୍ରୀ ତାରିଣୀ ଦଳବେହେରା ଦୁଇ ଝିଅକୁ ନେଇ ଦୁଃଖେ କଷ୍ଟେ ଚଳୁଛନ୍ତି । ହେଲେ ସାନଝିଅ ଝୁମୁରି ଦଳବେହେରା ଜନ୍ମରୁ ଦିବ୍ୟାଙ୍ଗ । ଝୁମୁରି ଚଲାବୁଲା କରିପାରୁ ନ ଥିବାବେଳେ ଗୋଟିଏ ସ୍ଥାନରେ ହିଁ ଶୋଇରହୁଛି ଏବଂ ସମସ୍ତ ନିତ୍ୟକ୍ରମ ବିଛଣାରେ ହିଁ କରନ୍ତି ସେ । ଆଜକୁ 15 ବର୍ଷ ହେଲା ଝୁମୁରିର ସେବା କରି କରି ମାଆ ତାରିଣୀ ଏବେ ରୋଗଗ୍ରସ୍ତ ହୋଇ ପଡିଲେଣି । ବଡ଼ ଭଉଣୀ ରଶ୍ମିତା ଝୁମୁରିର ସବୁ ଦେଖାଶୁଣା କରୁଛନ୍ତି । ଏହାରି ମଧ୍ୟରେ ସାନଝିଅ ରଶ୍ମିତାକୁ ଘର ଚଳାଇବାରେ ଅନେକ ଅସୁବିଧାର ସମ୍ମୁଖୀନ କରିବାକୁ ପଡୁଛି ।