ବ୍ରହ୍ମପୁର: ସହର ତଳି ଅଞ୍ଚଳ ଓ ଏହାର ପାର୍ଶ୍ୱବର୍ତ୍ତୀ ଗ୍ରାମପଞ୍ଚାୟତ ଅନ୍ତର୍ଭୁକ୍ତ ଅଞ୍ଚଳକୁ ବ୍ରହ୍ମପୁର ମହାନଗର ନିଗମରେ ସାମିଲ କରିବା ନେଇ ଦୀର୍ଘ ଦିନରୁ ଦାବି ହୋଇଆସୁଛି । ଏବେ ଏହି ଦାବି ଜୋର ଧରିଛି । ଏହା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି ।
ବ୍ରହ୍ମପୁର ସହର ତଳିଆ ଅଞ୍ଚଳର ନାଗରିକଙ୍କୁ ନେଇ ଗଠିତ ହୋଇଥିବା ଉନ୍ନୟନ କମିଟିର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ଦାବି ପତ୍ର ପ୍ରଦାନ କରାଯାଇଛି । ଏନେଇ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟରେ ପହଞ୍ଚି ସ୍ମାରକପତ୍ର ପ୍ରଦାନ କରାଯିବା ସହ ଅଧିକାରୀଙ୍କ ସହ ଆଲୋଚନା କରିଛି କମିଟି । ଗତ କିଛି ମାସ ଧରି ଏହି ଆନ୍ଦୋଳନ ହୋଇଆସୁଛି ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର ମୁଖ୍ୟତଃ ସହର ନିକଟସ୍ଥ ନିମଖଣ୍ଡି, ଲୋଚାପଡା ଓ ଭାବିନିପୁର ପଞ୍ଚାୟତର ଅଞ୍ଚଳବାସୀ ଏହି ଦାବି କରିଛନ୍ତି । ଏହାସହ ସହରର ବ୍ରହ୍ମାନଗର, ଶକ୍ତିନଗର, ଶ୍ରାମା ନଗର, କାଳୁଆ ନଗର, ରାଜୀବ ନଗର, ଗୋବିନ୍ଦ ବିହାର, ବସନ୍ତ ବିବାହ, ବାସୁଦେବ ନଗର, ବାପୁଜୀ ନଗର ଓ ମେଡିକାଲ ବ୍ୟାଙ୍କ କଲୋନୀ ଭଳି ସହରତଳି ଅଞ୍ଚଳବାସୀ ମଧ୍ୟ ସେମାନଙ୍କ ଅଞ୍ଚଳକୁ ମହାନଗର ନିଗମରେ ସାମିଲ କରିବା ପାଇଁ ପୂର୍ବରୁ ଆନ୍ଦୋଳନ କରିଛନ୍ତି ।
ଏହା ମଧ୍ୟରେ ନିର୍ବାଚିତ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ସରକାରଙ୍କୁ ଏହି ଦାବି ବିଷୟରେ ଅବଗତ କରାଯାଇଛି । ଏବେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିଭାଗର ବରିଷ୍ଠ ଅଧିକାରୀଙ୍କୁ କମିଟି ସାକ୍ଷାତ କରିଛି । ଏହାସହ ଦାବି ପ୍ରତି କୌଣସି ପଦକ୍ଷେପ ନିଆନଗଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବାକୁ ଚେତାବନୀ ଦିଆଯାଇଛି।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ