ଓଡିଶା

odisha

ETV Bharat / state

କୋଭିଡ୍ କଟକଣା ମଧ୍ୟରେ ଆରମ୍ଭ ହେଲା ଦଣ୍ଡନୃତ୍ୟ - ଗଞ୍ଜାମରେ ଦଣ୍ଡନୃତ୍ୟ ଆରମ୍ଭ

ଗଞ୍ଜାମର ପ୍ରସିଦ୍ଧ ଦଣ୍ଡନୃତ୍ୟ ପର୍ବ ଆରମ୍ଭ । କୋଭିଡ କଟକଣା ମଧ୍ୟରେ ଆରମ୍ଭ ହୋଇଛି ଏହି ପର୍ବ । ଅଧିକ ପଢନ୍ତୁ...

କୋଭିଡ୍ କଟକଣା ମଧ୍ୟରେ ଆରମ୍ଭ ହେଲା ଦଣ୍ଡନୃତ୍ୟ
କୋଭିଡ୍ କଟକଣା ମଧ୍ୟରେ ଆରମ୍ଭ ହେଲା ଦଣ୍ଡନୃତ୍ୟ

By

Published : Mar 25, 2021, 9:04 PM IST

ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାରେ ବାରମାସରେ ତେର ପର୍ବ ମଧ୍ୟରୁ ଦଣ୍ଡନାଚ ଅନ୍ୟତମ । ଯେଉଁଥିରେ ମାନସିକଧାରୀ ଅର୍ଥାତ୍ ଦଣ୍ଡୁଆମାନେ ନିଜର ମନସ୍କାମନା ପୂର୍ଣ୍ଣ ପାଇଁ ପାଣିଦଣ୍ଡ, ଧୂଳି ଦଣ୍ଡ, ବଜ୍ର ଦଣ୍ଡ, ଅଗ୍ନି ଦଣ୍ଡ, ନୃତ୍ୟ ଦଣ୍ଡ ଆଦି ବରଣ କରିଥାନ୍ତି । ତିନି ଶହ ବର୍ଷର ପୁରାତନ ସଂସ୍କୃତିକୁ ନେଇ ଆୟୋଜିତ ହେଉଥିବା ଏହି ଦଣ୍ଡନୃତ୍ୟ ଚଳିତବର୍ଷ ପ୍ରଶାସନର କୋଭିଡ କଟକଣା ମଧ୍ୟରେ ଶୁଭାରମ୍ଭ ହୋଇଯାଇଛି ।

କୋଭିଡ୍ କଟକଣା ମଧ୍ୟରେ ଆରମ୍ଭ ହେଲା ଦଣ୍ଡନୃତ୍ୟ

ଦଣ୍ଡନାଚ ପାଇଁ ଉତ୍ସବମୁଖର ଗଞ୍ଜାମ ଜିଲ୍ଲା । ସକାଳୁ ରାତି ପର୍ଯ୍ୟନ୍ତ କଠିନ ନିଷ୍ଠା ଏବଂ ତ୍ୟାଗର ସହ ଉପବାସ କରନ୍ତି ଦଣ୍ଡୁଆ । ଷୋହଳ ସୁଆଙ୍ଗ ଦଣ୍ଡନାଚର ମୁଖ୍ୟ ଆକର୍ଷଣ । ଚୈତ୍ର ମାସର 21 ଦିନ ଧରି ପାଳିତ ହୁଏ ଏହି ପର୍ବ । ବିଷୁବ ସଂକ୍ରାନ୍ତି ପୂର୍ବରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ରହିଥିବା କାଳୀ ମନ୍ଦିରରୁ ମାନସିକଧାରୀ ଦଣ୍ଡୁଆମାନେ ମାଆକାଳୀ ଏବଂ ଶିବଙ୍କୁ ସାଥୀରେ ନେଇ ବାହାରିଥାନ୍ତି ଦଣ୍ଡନାଚ କରିବା ପାଇଁ । ମାତ୍ର ଚଳିତବର୍ଷ କୋଭିଡ କଟକଣା ମଧ୍ୟରେ ପାରମ୍ପରିକ ରୀତିନୀତିରେ ଆରମ୍ଭ ହୋଇଛି ମାଆଙ୍କ ଏହି ପ୍ରସିଦ୍ଧ ଦଣ୍ଡନୃତ୍ୟ । ପ୍ରଥମ ଦିନରେ ଦଣ୍ଡରେ ଯୋଗଦାନ କରିବାକୁ ଆସିଥିବା ଭକ୍ତମାନଙ୍କ ଆଧାର କାର୍ଡ ଯାଞ୍ଚ କରାଯିବା ପରେ ସ୍କ୍ରିନିଂ କରାଯାଇ ସାନିଟାଇଜ୍ କରିବା ପରେ ଆରମ୍ଭ ହୋଇଥିଲା ସମସ୍ତ କାର୍ଯ୍ୟକ୍ରମ ।


ଜିଲ୍ଲାରେ ମୁଖ୍ୟତଃ ଏହି ନୃତ୍ୟ ୨୧ ଦିନ, ୧୮ ଦିନ ଏବଂ ୧୩ ଦିନ ଧରି ଆୟୋଜିତ ହେବା ସହ ମେରୁ ସଂକ୍ରାନ୍ତିରେ ଉଦଯାପିତ ହୋଇଥାଏ । ମନସ୍କାମନା ପୂର୍ଣ୍ଣ ପାଇଁ ନିୟମିତ ଭାବରେ ଧୂଳି ଦଣ୍ଡ, ପାଣି ଦଣ୍ଡ, ଅଗ୍ନି ଦଣ୍ଡ ଭଳି ବିଭିନ୍ନ ଦାଣ୍ଡ ଭୋଗ କରିବା ସହ ଏହି ଦଣ୍ଡନୃତ୍ୟ ପରମ୍ପରାରେ ସାମିଲ ହେଉଥିବା ମାନସିକଧାରୀଙ୍କୁ ଋଷି ପୁତ୍ର ନାମରେ ଉଚ୍ଚାରଣ କରାଯାଉ ଥିବାବେଳେ ଦୈନିକ ଥରେ ଭୋଜନ କରି ବ୍ରତ ପାଳନ କରିଥାନ୍ତି । ଏପରିକି ଭକ୍ତମାନେ ଖାଲି ପାଦରେ ଶିବ, ପାର୍ବତୀ, କାଳୀ, କଳସ, ବେତ, ଛତ୍ର, ବାନା, ଘଣ୍ଟ, ଢୋଲ, ମହୁରୀ, ଶଙ୍ଖ, ତୁରୀ ଧରି ଗାଁ ଠାରୁ ସହର ପରିକ୍ରମା କରୁଥିବାବେଳେ ଏହି ସମୟରେ 'ଭଜ ହେ ....ଆସିଲା କଳା ପାହାଡ ଭାଙ୍ଗିଲା ଲୁହାର ବାଡ.. ଶ୍ରୀ ଶ୍ରୀ ମାଁ କାଳୀଙ୍କୁ ଭଜ ହେ..' ଏଭଳି ଧ୍ୱନିରେ ପ୍ରକମ୍ପିଥାଏ ସମଗ୍ର ଅଞ୍ଚଳ । ହେଲେ କୋଭିଡ ଯୋଗୁଁ ଗତବର୍ଷ ମାଆଙ୍କ ଏହି ଯାତ୍ରାକୁ ସ୍ଥଗିତ ରଖାଯାଇ ଥିବାବେଳେ ଚଳିତବର୍ଷ ଦୁଇ ଶହ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଏହାକୁ ସୀମିତ ରଖିବା ପାଇଁ କୁହାଯାଇଥିବାରୁ କଟକଣା ମଧ୍ୟରେ ଯେପରି ସମସ୍ତ କାର୍ଯ୍ୟ ସମାପନ କରାଯିବ ସେ ନେଇ ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି ମାନସିକଧାରୀ ଦଣ୍ଡୁଆ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details