important papers seized from Gopals house ବ୍ରହ୍ମପୁର:ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ଘଟଣା । ତଦନ୍ତଙ୍କୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ ଟିମ । 4 ଦିନିଆ ରିମାଣ୍ଡରେ ଆସିଥିବା ଗୋପାଳର ଆଜି ଶେଷ ଦିନ । ରିମାଣ୍ଡର ଶେଷ ଦିନ ଥିବାରୁ ଗୋପାଳକୁ ଆଜି ମଧ୍ୟ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ । ସେପଟେ ବ୍ରହ୍ମପୁର ସହରରେ ଗତ ପାଞ୍ଚ ଦିନ ଧରି କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ ବିଭିନ୍ନ ଦିଗକୁ ନେଇ ତନାଘନା କରୁଛି । ଆଜି(ଶନିବାର) କ୍ରାଇମବ୍ରାଞ୍ଚ ଟିମ ଗୋପାଳଙ୍କ ଆଙ୍କୁଲି ସ୍ଥିତ ବାସବଭନରେ ଚଢାଉ କରି କେତେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଏବଂ ବ୍ୟାଙ୍କ ଆକାଉଣ୍ଟ ଜବତ କରି ନେଇଥିବା ଜଣାପଡିଛି ।
ଗତ ପାଞ୍ଚ ଦିନ ମଧ୍ୟରେ ବ୍ରହ୍ମପୁର ସହରରେ ଡେରା ପକାଇଥିବା କ୍ରାଇମବ୍ରାଞ୍ଚର ଡିଏସପି ଶିଶିର କୁମାର ମିଶ୍ର ନେତୃତ୍ୱରେ ରହିଥିବା ଟିମ୍ ପ୍ରଥମ ଦିନ ତଦନ୍ତରେ ଅଭିଯୁକ୍ତ ପୋଲିସ ଏଏସଆଇ ଗୋପାଳର ପୈତୃକ ବାସଭବନ କୁହାଯାଉଥିବା ଜଳଶ୍ୱେରପୁର ଗ୍ରାମରେ ପହଞ୍ଚି ପରିବାର ବର୍ଗଙ୍କୁ ପଚାରାଉଚରା କରିଥିଲେ । ପରେ ଉକ୍ତ ଦିନ ହିଁ ଗୋପାଳଙ୍କ ବଡଭାଇ ସତ୍ୟନାରାୟଣଙ୍କୁ ଉଠାଇ ନେଇ ପଚରାଉଚରା ଆରମ୍ଭ କରିଥିଲା । ହେଲେ ଗତକାଲି(ଶୁକ୍ରବାର) ଗୋପାଳଙ୍କ ବଡ ଭାଇଙ୍କୁ କ୍ରାଇବ୍ରାଞ୍ଚ ଛାଡି ଦେଇଥିବା ସୂଚନା ମିଳିଛି ।
ଇତି ମଧ୍ୟରେ ଗୋପାଳଙ୍କୁ ମାନସିକ ରୋଗରେ ଚିକିତ୍ସା କରୁଥିବା ଡାକ୍ତର, ଗୋପାଳଙ୍କ ସ୍କୁଲ ଓ କଲେଜରେ ପଢୁଥିବା ସାଙ୍ଗସାଥୀ , ଗୋପାଳଙ୍କ ମାସିକ ଔଷଧ ନେଇ ଯାଉଥିବା ସରକାରୀ ବସ୍ କର୍ମଚାରୀଙ୍କୁ ଡାକି ଜେରା କରିଥିଲା କ୍ରାଇମବ୍ରାଞ୍ଚ । କିନ୍ତୁ ତଦନ୍ତ ସମୟରେ କ୍ରାଇମବ୍ରାଞ୍ଚର କେଉଁ ତଥ୍ୟ ପାଇଛି ତାର ସୁରାକ ଏପର୍ଯ୍ୟନ୍ତ ମିଳିପାରିନାହିଁ । ଯାହା ଉପରେ ଏବେ ପୁରା ରାଜ୍ୟବାସୀଙ୍କ ନଜର ରହିଛି । ନବ ଦାସଙ୍କ ମୃତ୍ୟୁକୁ ଏକ ସପ୍ତାହ ବିତିଯାଇଥିବା ବେଳେ ଘଟଣା ଉପରୁ ଆଜି ପର୍ଯ୍ୟନ୍ତ ପରଦା ହଟିପାରିନି । ଗୁଳି କରି ହତ୍ୟା କରିଥିବା ଗୋପାଳ ମାନିଥିବା ବେଳେ ଏହା ପଛର କାରଣ କଣ ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି ।
ସୂଚନା ଅନୁସାରେ, ଗତକାଲି ଗୋପାଳର ବୁଢ଼ୀଜାମ ସ୍ଥିତ ଏମସିଏଲ କ୍ବାଟରରେ ଖୋଲତାଡ଼ କରିଥିଲା କ୍ରାଇମବ୍ରାଞ୍ଚ ଟିମ । ତେବେ ସେଠାରୁ ଏକ ହାତଲେଖା ଡାଏରୀ ଏବଂ କାର୍ ଜବତ କରିଥିଲା କ୍ରାଇମବ୍ରାଞ୍ଚ । ତେବେ କାରଟିକୁ ଗାନ୍ଧୀଛକ ଫାଣ୍ଡିରେ ରଖାଯାଇଥିବା ବେଳେ ଡାଏରୀ କ୍ରାଇମବ୍ରାଞ୍ଚ ହାତରେ ରହିଛି । ଅନ୍ୟପଟେ ଗୋପାଳର CFSI ଏବଂ LVD ଟେଷ୍ଟ କରିବା ପାଇଁ ଦିଲ୍ଲୀରୁ ଏକ ୬ଜଣିଆ ଟିମ୍ ଝାରସୁଗୁଡାରେ ଆସି ପହଞ୍ଚିଥିବା ସୂଚନା ମିଳିଛି ।
ଇଟିଭି ଭାରତ,ବ୍ରହ୍ମପୁର