ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଜାତୀୟ ରାଜପଥରେ ଗୋରୁ ବୋଝେଇ ଟ୍ରକ ଜବତ ।ଜାତୀୟ ରାଜପଥ ଦେଇ ଗୋରୁଚାଲାଣ କରାଯାଉଥିବା ବେଳେ ଖଲ୍ଲିକୋଟ ପୋଲିସ ସ୍ଥାନୀୟ ଟୋଲ ଗେଟ ନିକଟରୁ ଗୋରୁ ବୋଝେଇ ଟ୍ରକକୁ ଜବତ କରିବା ସହିତ ଗାଡ଼ିର ଚାଳକ ସମେତ ୬ ଜଣ ଗୋରୁ ଦଲାଲଙ୍କୁ ଗିରଫ କରିଛି ।
ସରକାର ଗୋ ସୁରକ୍ଷା ପାଇଁ ବ୍ୟାପକ ଆଇନ ପ୍ରଣୟନ କରୁଥିବାବେଳେ ବିଭିନ୍ନ ସ୍ଥାନରେ କ୍ରମାଗତ ଭାବରେ ଗୋ ଚାଲାଣ କରାଯାଉଛି । ଖଲ୍ଲିକୋଟ ପୋଲିସ ଗୁରପଲ୍ଲୀ ଚେକ ଗେଟ ନିକଟରେ ବିଭିନ୍ନ ଟ୍ରକ ଗୁଡିକୁ ଯାଞ୍ଚ କରିବା ପରେ ସୁଦୂର ଆନ୍ଧ୍ରପ୍ରଦେଶରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ଏକ ଗୋରୁ ବୋଝେଇ ଟ୍ରକକୁ ଜବତ କରିବା ସହ ଡ୍ରାଇଭର ସମେତ ୬ଜଣ ଗୋରୁ ଦଲାଲଙ୍କୁ ଗିରଫ କରି ଆନିମଲ ପରଭେନସନ ଆକ୍ଟ ଜରିଆରେ କୋର୍ଟ ଚାଲାଣ କରାଯାଇଛି |
ଟୋଲ ଗେଟ ନିକଟରୁ ପୋଲିସ ଜବତ କରିଥିବା ଟ୍ରକରେ ୨ଟି ବଳଦ ଓ ୧୫ ଗୋଟି ଗାଈଙ୍କୁ ବୋଝେଇ କରି ନିଆଯାଉଥିଲା । ଟ୍ରକର ଆଗ ପଟେ ଅଲଗା ନମ୍ବର ଓ ପଛ ପଟେ ଅନ୍ୟ ଏକ ନମ୍ବର ରହିଥିଲା । ତେବେ ପୋଲିସ ଟ୍ରକକୁ ଜବତ କରିବା ସହ ଡ୍ରାଇଭର ଏସ.କେ. ସକିଲ ଓ ଗୋରୁ ଦଲାଲ ରାକେଶ କୁମାର ସାହୁ , ଏସ. କେ ପ|ନ୍ନା, ରସିଦ ଖାଁ ଓ ଏମ.ଦି.ମୁବାରକଙ୍କୁ ଗିରଫ କରିଛି ।
ଆସାମୀ ମାନେ ଉତ୍ତରପ୍ରଦେଶର ମୁଜାଫର ନଗର ଥାନାର ସାହାପୁର ଅଞ୍ଚଳର ବୋଲି ଜଣାପଡିଛି । ଟ୍ରକରେ ଯାଉଥିବା ଗାଇ ଗୁଡିକଙ୍କ ପାଟି ଓ ଗୋଡ଼ରେ ଦୌଡ଼ି ବନ୍ଧା ଯାଇ ଖୁନ୍ଦା ଖୁନ୍ଦି କରି ଦୀର୍ଘ ୧୮ଘଣ୍ଟା ଯାତ୍ରା କରୁଥିବା ଦେଖାଯାଇଥିଲା । ଖଲ୍ଲିକୋଟ ପୋଲିସ ଗୋରୁଙ୍କୁ ଭୁବନେଶ୍ୱର ସ୍ଥିତ ନିକଟବର୍ତ୍ତୀ ପିପୁଲସ ଆନିମଲ ଫୋରମ୍କୁ ପଠାଇଦେଇଥିବା ଜଣାପଡିଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ