ବ୍ରହ୍ମପୁର: କୋରୋନା ଦ୍ବିତୀୟ ଲହର କୋପରେ ଏବେ ସାରା ରାଜ୍ୟ । କୋରୋନା କବଳରୁ ରକ୍ଷା ପାଇବା ପାଇଁ ପ୍ରତି ଜିଲ୍ଲାରେ କୋଭିଡ ନିୟମକୁ କଡାକଡି କରାଯାଇଛି । ଗଞ୍ଜାମ ଜ଼ିଲ୍ଲାରେ ପ୍ରବାସୀ ମାନଙ୍କର ପ୍ରତ୍ୟାବର୍ତ୍ତନ କାରଣରୁ ଗୋଟିଏ ସପ୍ତାହରେ ତିନିଗୁଣା ସଂକ୍ରମଣ ବୃଦ୍ଧି ପାଇଛି । ସମସ୍ତ ଜିଲ୍ଲାବାସୀଙ୍କୁ ସର୍ତକତା ନିଜଆଡୁ ସର୍ତକତା ଅବଲମ୍ବନ କରିବାକୁ ହେବ ନଚେତ ପରିସ୍ଥିତି ସାଘାଂତିକ ହେବ ବୋଲି ଭିଡିଓ କନଫରେନ୍ସିଂ ଜରିଆରେ ଜ଼ିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜଣାଇଛନ୍ତି ।
ସମସ୍ତ ଅଧିକାରୀମାନଙ୍କୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଜଣାଇଛନ୍ତି । ବର୍ତ୍ତମାନ ଯାହା ସବୁ କାର୍ଯ୍ୟଧାରା ଗ୍ରହଣ କରାଯିବ ସବୁ ଗୁଡିକ ଵିକେନ୍ଦ୍ରୀକରଣ କରି କରାଯିବ । ଫେରୁଥିଵା ପ୍ରବାସୀମାନଙ୍କର ପଞ୍ଜିକରଣ ନିହାତି ଆବଶ୍ୟକ । ଯେଉଁ ପ୍ରବାସୀମାନେ ପଞ୍ଜିକରଣ କରୁ ନାହାନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସମସ୍ତ ଚିକିତ୍ସାଳୟରେ RRT କିଟ ମହଜୁଦ ରଖାଯିବ ଏବଂ ସଂକ୍ରମିତ ବ୍ୟକ୍ତିଙ୍କୁ ଆଇସୋଲେସନରେ ରଖିବା ସହ ସମସ୍ତ ସୁବିଧା ଥିବା ବେଡ଼ ପ୍ରସ୍ତୁତ କରିବାକୁ ଜ଼ିଲ୍ଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଚି଼ହ୍ନଟ ହେଉଥିବା ସଂକ୍ରମିତ ବ୍ୟକ୍ତିଙ୍କୁ ନିଜ ଘରେ ସାତ ଦିନ ପର୍ଯ୍ୟନ୍ତ ଆଇସୋଲେସନରେ ରଖି ତାଙ୍କ ଘର ସମ୍ମୁଖରେ ପୋଷ୍ଟର ଲଗାଯିବ । ଜିଲ୍ଲାବାସୀଙ୍କୁ ମାସ୍କ ପରିଧାନ ଏବଂ ସାନିଟାଇଜେସନର ବ୍ୟବହାରକୁ ଗୁରୁତ୍ୱ ଦିଆଯାଇଛି । ଯେଉଁ ଦୋକାନ ବା ମଲ ଗୁଡିକରେ ଗ୍ରାହକ ମାସ୍କ ପରିଧାନ ନକରି ସାମଗ୍ରୀ କିଣୁଥିବା ନଜର ଆସିଲେ ଏଣିକି ଦୋକାନୀମାନଙ୍କଠାରୁ ଜୋରିମାନା ଆଦାୟ କରାଯିବ । ଯେଉଁ ଅଞ୍ଚଳରେ ସଂକ୍ରମିତ ଚି଼ହ୍ନଟ ହେବେ ସେହି ଅଞ୍ଚଳକୁ କଣ୍ଟେଟମେଣ୍ଟ ଅଞ୍ଚଳ ଭାବରେ ଘୋଷଣା କରି ଖାଦ୍ୟ ଓ ଅନାନ୍ୟ ସାମଗ୍ରୀ ଯୋଗାଇବାର ବ୍ୟବସ୍ଥା କରାଯିବ । ଅସ୍ଥାୟୀ ପରିଚାଳନା ସେଣ୍ଟର ଗୁଡିକରେ ଚିକିତ୍ସକ ମୁତୟନ କରାଯିବ । ଅକ୍ସିଜେନ ସହିତ ଆମ୍ବୁଲାନ୍ସ ପ୍ରସ୍ତୁତ କରି ରଖାଯିବ ।