କାହା ପାଖରେ ରହିବ ୫ବର୍ଷର ଶିଶୁପୁତ୍ର; ଜନ୍ମଦାତ୍ରୀ ଓ ପାଳିତ ମା’ ମଧ୍ୟରେ ଟଣାଓଟରା ବ୍ରହ୍ମପୁର:ଦୀର୍ଘ ୫ ବର୍ଷ ଏକ ଶିଶୁକୁ ନିଜ ପାଖରେ ରଖି ଆସୁଥିଲେ ଜଣେ ମହିଳା । ହେଲେ ନିକଟରେ ତାର ଜନ୍ମକଲା ମାଆ ଆସି ତାର ଶିଶୁକୁ ଚୋରି ହୋଇଥିବା ଅଭିଯୋଗ କରିବା ପରେ ବ୍ରହ୍ମପୁର ସହରରେ ଦେଖିବାକୁ ମିଳିଛି ଏକ ବିବାଦ । ଘଟଣା ଥାନାରେ ପହଞ୍ଚିଥିବା ବେଳେ ସେପଟେ ଏହି ଘଟଣାକୁ ନେଇ ସମସ୍ତଙ୍କର ଡିଏନଏ ପରୀକ୍ଷା ପରେ ଏହାକୁ ସ୍ପଷ୍ଟ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଏସପି । ବ୍ରହ୍ମପୁର ସହରର ବୈଦ୍ୟନାଥପୁର ଥାନାରେ ଏଭଳି ଏକ ମାମଲା ରୁଜୁ ହେବା ପରେ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।
୨୦୧୮ ମସିହା ଜୁଲାଇ ମାସର ୧୦ ତାରିଖରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଗଞ୍ଜାମ ଜିଲ୍ଲାର ରମ୍ଭା ଥାନା ଅନ୍ତର୍ଗତ ପାଲୁର ଗଜପତି ନଗର ଅଞ୍ଚଳର ସୁନିତା ବେହେରା ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ମେଡିକାଲରେ ୨ ଦିନ ରହିବା ପରେ ସେ ଡିସଚାର୍ଜ ହୋଇ ନିଜ ଘରକୁ ଫେରୁଥିବା ସମୟରେ ବ୍ରହ୍ମପୁର ସହରର ଜଣେ ଅଟୋ ଚାଳକ ସନ୍ତୋଷ ଦାଶ ଓ ତାଙ୍କ ପତ୍ନୀ ଗୀତା ଦାଶଙ୍କ ସହିତ ସମ୍ପର୍କ ସୃଷ୍ଟି ହୋଇଥିଲା । ଆଉ ଏହା ପରେ ଅଟୋ ଚାଳକ ଏବଂ ତାଙ୍କ ପତ୍ନୀ କୁଆଡେ ଶିଶୁଟିକୁ ଚୋରି କରି ନେଇ ଯାଇଥିଲେ ବୋଲି ମହିଳା ଜଣକ ଅଭିଯୋଗ କରିଛନ୍ତି । ଇତିମଧ୍ୟରେ ଶିଶୁକୁ ପୁରିଲାଣି ୫ବର୍ଷ ।
ଏହା ବି ପଢନ୍ତୁ- WATCH VIDEO: ଅଟୋ ଚଳାଇଲେ IPS ଅରୁଣ ବୋଥ୍ରା
ଜନ୍ମଦାତ୍ରୀ ମହିଳା ତାଙ୍କ ନିଖୋଜ ଶିଶୁଟି ସହରର ଗଜପତିନଗର ଅଞ୍ଚଳରେ ରହୁଥିବା ଖବର ପାଇ ଥାନାରେ ପାଳିତ ମାଆ ଚୋରି କରି ନେଇଥିବା ଅଭିଯୋଗ କରିଛନ୍ତି । ସେପଟେ ଜନ୍ମକଲା ମାଆ ସୁନୀତା ମିଛ କହୁଥିବା ପାଲଟା ଅଭିଯୋଗ କରିଛନ୍ତି ପାଳିତା ମାଆ ଗୀତା ଦାଶ । ଜନ୍ମ କରିବା ପରେ ସୁନୀତା ଶିଶୁଟିକୁ ଫୋପାଡି ଦେଇ ଚାଲିଯାଉଥିବା ବେଳେ ସେହି ଶିଶୁକୁ ଅଟୋ ଚାଳକ ସନ୍ତୋଷ ଆଣି ଲାଳନପାଳନ କରିଥିଲେ ବୋଲି ସେ କହିଛନ୍ତି । ଏବେ ଚୋରି କରି ନେଇଥିବାର ମିଥ୍ୟା କଥା କହୁଥିବା ଗଣମାଧ୍ୟମ ସମ୍ମୁଖରେ ସ୍ପଷ୍ଟ କରିଛନ୍ତି ଗୀତା ।
ସେପଟେ ଗତ ୫ବର୍ଷ ଧରି ଶିଶୁ ଜଣଙ୍କ ପାଳିତା ମାଆ ପାଖରେ ରହୁଥିବା ଯୋଗୁଁ ସେ ଗୀତା ଦାଶଙ୍କୁ ହିଁ ନିଜର ମାଆ ବୋଲି ଡାକୁଥିବା ଦେଖିବାକୁ ମିଳିଛି । ଇତିମଧ୍ୟରେ ଶିଶୁକୁ ନିଜ ଘରକୁ ଆଣିଥିବା ଗୀତାଙ୍କ ସ୍ବାମୀ ଅଟୋ ଚାଳକଙ୍କ କ୍ୟାନ୍ସରରେ ମୃତ୍ୟୁ ପରେ ଶିଶୁପୁତ୍ରକୁ ନେଇ ମହିଳା ଜଣଙ୍କ ନିଜ ପରିବାରରେ ରହି ଆସୁଥିଲେ । ହେଲେ ସେମାନେ ଶିଶୁକୁ ଚୋରି କରିନଥିବା କହିଛନ୍ତି । ସେପଟେ ଘଟଣା ଥାନାରେ ପହଞ୍ଚିଥିବାରୁ ପୋଲିସ ପକ୍ଷରୁ ଏନେଇ ସମସ୍ତଙ୍କର ଡିଏନଏ ପରୀକ୍ଷା ରିପୋର୍ଟ ଆସିବା ପରେ ହିଁ ଏହାକୁ ନେଇ ଶିଶୁର ପ୍ରକୃତ ମାଆ କିଏ ତାହା ସ୍ପଷ୍ଟ ହେବ ବୋଲି କହିଛନ୍ତି ବ୍ରହ୍ମପୁର ଏସପି ।
ସେପଟେ ପୋଲିସ ଏହି ଘଟଣାକୁ ସମସ୍ତଙ୍କୁ କୋର୍ଟରେ ହାଜର କରିଥିଲା । କୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ପୋଲିସ ତାଙ୍କୁ ଡିଡବ୍ଲୁସିରେ ହାଜର କରାଇଥିବା ବେଳେ ଶିଶୁଟିକୁ ସହରର ଉତ୍କଳ ବାଳାଶ୍ରମରେ ଛାଡିବାକୁ କହିବା ସହିତ ପ୍ରତ୍ୟେକ ସପ୍ତାହରେ ପାଳିତ ମାଆ ଶିଶୁକୁ ସାକ୍ଷାତ କରିପାରିବେ ବୋଲି କୁହାଯାଇଛି । ଗୋଟିଏ ପଟେ ଜନ୍ମକଲା ମାଆର ଅଭିଯୋଗ ସେପଟେ ପାଳିତ ମାଆ ସହିତ ଶିଶୁର ସମ୍ପର୍କ ନିବିଡ ହୋଇଯାଇଥିବାରୁ ଏଭଳି ପରିସ୍ଥିତିରେ ନେଇ ଦୁଇ ମହିଳାଙ୍କ ମଧ୍ୟରେ ଟଣାଓଟରା ଜାରି ରହିଛି । ସେପଟେ ଡିଏନଏ ରିପୋର୍ଟ ସ୍ପଷ୍ଟ କରିବ ଶିଶୁଟିର ପ୍ରକୃତ ମାଆ କିଏ ଏବଂ ଶିଶୁ କାହା ପାଖରେ ରହିବ ସେହି ପର୍ଯ୍ୟନ୍ତ ଶିଶୁଟି ସହରର ଉତ୍କଳ ବାଳାଶ୍ରମରେ ରହିବା ନେଇ ନିର୍ଦ୍ଦେଶ ଦିଆଯାଇଛି ।
ଇଟିଭି ଭାରତ, ବ୍ରହ୍ମପୁର