ବ୍ରହ୍ମପୁର: କୋରୋନାର ଦ୍ୱିତୀୟ ଲହର ପ୍ରାଦୁର୍ଭାବକୁ ପ୍ରତିହତ କରିବା ନିମନ୍ତେ ଟୀକାକରଣ ଏକାନ୍ତ ଅପରିହାର୍ଯ୍ୟ । ମୋବାଇଲ୍ ଟିମ୍ ଗଠନ କରି ଦୁର୍ଗମ ପାହାଡିଆ ଅଞ୍ଚଳ, ସହରାଞ୍ଚଳ ଓ ଗ୍ରାମାଞ୍ଚଳର ୪୫ ବର୍ଷରୁ ଊର୍ଦ୍ଧ୍ୱ ବୁଲାବିକାଳୀ, ପରିବା ବିକ୍ରେତା, ସେଲୁନ୍ ବାଲା, ତେଜରାତି ଦୋକାନୀ, ଗ୍ୟାରେଜରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟ କରି ଟୀକାକରଣ କାର୍ଯ୍ୟକୁ ତ୍ୱରାନ୍ୱୀତ କରିବା ପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସମସ୍ତ ବିଡିଓ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ମାନଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ନିର୍ଦ୍ଦେଶ ଦେଇଛନ୍ତି ।
ଜିଲ୍ଲାର ଜନଗହଳିପୂର୍ଣ୍ଣ ଅଞ୍ଚଳ, ବିଭିନ୍ନ ଛକ ସ୍ଥାନ, ଜନବସତି ଅଞ୍ଚଳ, ଦୁର୍ଗମ ଅଞ୍ଚଳରେ ନିର୍ବାଚନ ଢାଞ୍ଚାରେ ଟୀକାକରଣ କେନ୍ଦ୍ର କରି ଜନସାଧାରଣଙ୍କୁ ଟୀକାକରଣ କରାଇବେ । ଗ୍ରାମାଞ୍ଚଳ ଗୁଡିକରେ ସ୍ଥାନୀୟ ସରପଞ୍ଚ ଓ ସହରାଞ୍ଚଳରେ କାଉନସିଲରଙ୍କ ସହ ମିଶି ଟିକା ନେବାକୁ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ଦିନକ ପୂର୍ବରୁ ଚିରୁକୁଟି ଦେବା ପାଇଁ ଜିଲ୍ଲାପାଳ କହିଥିଲେ।
ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଦୈନିକ ଏହାର ସମୀକ୍ଷା କରିବା ସହ ତଦାରଖ କରିବା ପାଇଁ ଜିଲ୍ଲାପାଳ କହିଥିଲେ। କୋରୋନା ଚେନ୍ ରୋକିବା ନିମନ୍ତେ ତହସିଲଦାରମାନେ ପୂର୍ବାହ୍ନ ୭ଘଟିକାରୁ ପୂର୍ବାହ୍ନ ୧୧ ଘ. ପର୍ଯ୍ୟନ୍ତ ଦୋକାନ ବଜାର ଗୁଡିକରେ ସାମାଜିକ ଦୂରତ୍ୱ ରକ୍ଷା କରାଯାଉଛି କି ନାହିଁ ତାହା ତଦାରଖ କରିବା ପାଇଁ ଜିଲ୍ଲାପାଳ କହିଥିଲେ ।