ଓଡିଶା

odisha

By

Published : Feb 15, 2023, 9:49 PM IST

ETV Bharat / state

ମାଣ୍ଡିଆପଲ୍ଲୀ ଦୁର୍ଘଟଣା: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ମୃତକଙ୍କ ପରିବାରକୁ ୩ଲକ୍ଷ ଅନୁକମ୍ପା ସହାୟତା

ଗଞ୍ଜାମ ଜିଲ୍ଲା ମାଣ୍ଡିଆପଲ୍ଲୀରେ ଗତକାଲି ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁକୁ ନେଇ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ସହ ଆହତମାନଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢ଼ନ୍ତୁ

ମାଣ୍ଡିଆପଲ୍ଲୀ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
ମାଣ୍ଡିଆପଲ୍ଲୀ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ଗୋପାଳପୁରର ମାଣ୍ଡିଆପଲ୍ଲୀରେ ଗତକାଲି ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏହା ସହ ମୃତକଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇଛନ୍ତି । ଏହି ଘଟଣାରେ ଆହତମାନଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ପ୍ରକାଶ ଥାଉକି, ଗଞ୍ଜାମ ଜିଲ୍ଲା ମାଣ୍ଡିଆପଲ୍ଲୀ ଗାଁରେ ଏକ ବିବାହ ପାଇଁ ବରପକ୍ଷ ଲୋକ କନ୍ୟାଘରକୁ ଆସୁଥିଲେ । କନ୍ୟା ପକ୍ଷର ପ୍ରାୟ ୩୦ରୁ ଊର୍ଦ୍ଧ୍ବ ଲୋକେ ବରଯାତ୍ରୀଙ୍କୁ ବାଟବରଣ କରିବା ପାଇଁ ଛିଡ଼ା ହୋଇଥିଲେ । ଏହି ସମୟରେ ଦ୍ରୁତଗତିରେ ଆସୁଥିବା ଏକ ସ୍କର୍ପିଓ ଗାଡି ସେମାନଙ୍କ ଉପରେ ମାଡିଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୨ ଜଣ ମହିଳାଙ୍କ ସହ ଜଣେ ନାବାଳିକାଙ୍କର ମୃତ୍ୟୁ ଘଟିଥିଲା । ଏହି ଦୁର୍ଘଟଣାରେ ୧୨ରୁ ଅଧିକ ଆହତ ହୋଇଥିଲେ ।

ଦୁର୍ଘଟଣା ଘଟାଇଥିବା ମଦ୍ୟପ ଗାଡ଼ି ଚାଳକ ଘଟଣାସ୍ଥଳରୁ ଫେରାର୍ ହୋଇଯାଉଥିବା ବେଳେ ସ୍ଥାନୀୟ ଲୋକେ ତାକୁ କାବୁ କରି ମାଡ ମାରିବା ସହ ପୋଲିସ୍‌କୁ ଜିମା ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଚମାଖଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଏହି ଅଘଟଣ ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମଧ୍ୟ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ସହ ଆହତମାନଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details