ବ୍ରହ୍ମପୁର: ଆଜି ନିଜ ଜିଲ୍ଲା ଗଞ୍ଜାମ ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିନିକିଆ ଗସ୍ତରେ ଆସି ଜିଲ୍ଲାର ତିନୋଟି ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବେ । ମୁଖ୍ୟମନ୍ତ୍ରୀ ପ୍ରଥମେ କବିସୂର୍ଯ୍ୟନଗରରେ ପହଞ୍ଚି ଏଠାରେ ଆୟୋଜିତ ସମାରୋହରେ ସାମିଲ ହୋଇଛନ୍ତି । ଏଠାରୁ ସେ ହିଞ୍ଜିଳିକାଟୁ ଏବଂ ଛତ୍ରପୁର ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିବେ । ଏଥିପାଇଁ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ପ୍ରଥମେ କବିସୂର୍ଯ୍ୟନଗର ଯିବେ ମୁଖ୍ୟମନ୍ତ୍ରୀ: ଦୀର୍ଘ ଦିନର ବ୍ୟବଧାନ ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ନିର୍ବାଚନମଣ୍ଡଳୀ ଏବଂ ନିଜ ଜିଲ୍ଲା ଗସ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରଥମେ ଜିଲ୍ଲାର କବିସୂର୍ଯ୍ୟନଗର ଠାରେ ଦିନ ୧୧ ଘଣ୍ଟା ୧୦ ମିନିଟରେ ପହଞ୍ଚିଥିଲେ । ସେ ଏଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭ ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ମିଶନ ଶକ୍ତି ମହିଳାଙ୍କୁ ଚେକ୍ ବଣ୍ଟନ ଏବଂ ଗ୍ରାମକଣ୍ଠ ଜମିପଟ୍ଟା ବଣ୍ଟନ କରିବେ । କବିସୂର୍ଯ୍ୟନଗର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ କବିସୂର୍ଯ୍ୟନଗର ବିଧାୟକ ଲତିକା ପ୍ରଧାନଙ୍କ ସମେତ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ, ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ରାଜ୍ୟ ଶ୍ରମ ମନ୍ତ୍ରୀ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଛନ୍ତି ।
ହିଞ୍ଜିଳିକାଟୁ ଗସ୍ତ: ମୁଖ୍ୟମନ୍ତ୍ରୀ କବିସୂର୍ଯ୍ୟନଗର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବା ପରେ ସେଠାରୁ ହେଲିକେପ୍ଟେର ଯୋଗେ ଦିନ ୧୨.୧୦ ମିନିଟ୍ ସମୟରେ ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳିକାଟୁରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ । ହିଞ୍ଜିଳିକାଟୁ ନିକଟସ୍ଥ ଶଙ୍କର ଚକ୍ଷୁ ଚିକିତ୍ସାଳୟ ନିକଟରେ ପ୍ରସ୍ତୁତ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡରେ ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ ସେଠାରୁ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚି ବିଭିନ୍ନ ଯୋଜନାର ଶୁଭାରମ୍ଭ ସହିତ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି ।
ଶେଷରେ ଛତ୍ରପୁରରେ ଆୟଜିତ କାର୍ଯ୍ୟକ୍ରମରେ ଯୋଗଦେବେ:ସେହିପରି ହିଞ୍ଜିଳିକାଟୁ କାର୍ଯ୍ୟକ୍ରମ ଶେଷ ପରେ ମୁଖ୍ୟମନ୍ତ୍ରୀ ଦିନ ୧୨.୫୫ରେ ହିଞ୍ଜିଳିକାଟୁର ପି.ଡବ୍ଲୁ.ଡି ବଙ୍ଗଳାରେ ଅବସ୍ଥାନ କରିବା ପରେ ସେଠାରୁ ଗଞ୍ଜାମ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ । ଛତ୍ରପୁରରେ ମୁଖ୍ୟମନ୍ତ୍ରୀ ଦିନ ୩.୧୫ ମିନିଟ୍ ସମୟରେ ପହଞ୍ଚିବା ପରେ ଛତ୍ରପୁର ଷ୍ଟାଡିୟମ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏଥିରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ତଥା ବ୍ରହ୍ମପୁରର ପୂର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।