ବ୍ରହ୍ମପୁର:ସହରର ବହୁଚର୍ଚ୍ଚିତ ଜିଲା ଶିଶୁ ମଙ୍ଗଳ କମିଟିର ସଦସ୍ୟା ସୌଦାମିନୀ ରଥଙ୍କୁ ହତ୍ୟା ପର୍ଦ୍ଦାଫାସ କରିଛି ପୋଲିସ । ହତ୍ୟା କାଣ୍ଡରେ ସମ୍ପୃକ୍ତ ଥିବା ୨ଜଣ ଆଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ଗୋଷାଣିନୂଆଗାଁ ଥାନା ଅଞ୍ଚଳର ନୀଳକଣ୍ଠନଗର ପ୍ରଥମ ଲାଇନରେ ରହୁଥିବା ସହରର ତଥା ଜିଲା ଶିଶୁ ମଙ୍ଗଳ କମିଟିର ସଦସ୍ୟା ସୌଦାମିନୀ ରଥଙ୍କ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଡ୍ରାଇଭର ସମେତ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ମୁଖ୍ୟତଃ ଚୋରି ଧରାପଡ଼ିବା ଭୟରେ ଏପରି କାଣ୍ଡ ଘଟାଇଥିବା ସୂଚନା ମିଳିଛି । ଗିରଫ ମୁଖ୍ୟ ଅଭିଯୁକ୍ତ ଜଣକ ହେଲେ 27 ବର୍ଷୀୟ ସୀମାଞ୍ଚଳ ସାହୁ ଓ ତାଙ୍କ ସହଯୋଗୀ 25 ବର୍ଷୀୟ ବିଶ୍ଵନାଥ ସାହୁ ଓରଫ ବିରେନ ହୋଇଥିବା ବେଳେ ଉଭୟେ ବ୍ରହ୍ମପୁର ସହରର ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।
ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ସୌଦାମିନୀ ରଥ ଗତ ୧୦ ତାରିଖରେ 3 ଦିନ ପାଇଁ ଭୁବନେଶ୍ଵର ତାଲିମ ନେବାକୁ ଯାଇଥିଲେ । ଏହି ସମୟରେ ସୌଦାମିନୀ ତାଙ୍କ ଡ୍ରାଇଭର ତଥା ମୁଖ୍ୟ ଅଭିଯୁକ୍ତ ସୀମାଞ୍ଚଳକୁ 3ଦିନ ପାଇଁ ଛୁଟି ପ୍ରଦାନ କରିଥିଲେ । ଏହାରି ଭିତରେ ସୀମାଞ୍ଚଳ ସୌଦାମିନୀଙ୍କ ବାସଭବନରୁ ଚୋରି କରିବା ପାଇଁ ନିଷ୍ପତ୍ତି ନେଇଥିଲା । ସେ ଗତ ୧୧ ତାରିଖ ସଂନ୍ଧ୍ୟାରେ ଚୋରିରେ ବ୍ୟବହୃତ ସାମଗ୍ରୀ ବଜାରୁ କିଣିଥିଲା । ଏହା ପରେ ସୀମାଞ୍ଚଳ ଏବଂ ସହଯୋଗୀ ବିଶ୍ଵନାଥ ସାହୁ ଓରଫ ବିରେନଙ୍କ ସହିତ ପୂର୍ବ ଯୋଜନା ମୁତାବକ ସୌଦାମିନୀଙ୍କ ଘରେ ପସିଥିଲେ । ହେଲେ ସୌଦାମିନୀ ଗୋଟିଏ ଦିନ ପୂର୍ବରୁ ନିଜ ଘରକୁ ଆସି ଯାଇଥିବାରୁ ଅଭିଯୁକ୍ତ ଜଣକ ଚୋରି କରିବାରେ ସଫଳ ହୋଇନଥିଲେ । ଯାହାକୁ ନେଇ ଅଭିଯୁକ୍ତ ଜଣକ ଧରା ପଡ଼ିଯିବା ଭୟରେ ସୌଦାମିନୀଙ୍କ ଧାରୁଆ ଅସ୍ତ୍ର ସାହାଯ୍ୟରେ ଆକ୍ରମାଣ କରିଥିଲା । ଫଳରେ ତାଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା ।