ବ୍ରହ୍ମପୁର:ହକି କ୍ରୀଡାର ବିକାଶ ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ କ୍ରମାଗତ ଭାବେ ଉଦ୍ୟମ ଜାରି ରହିଛି । ରାଜ୍ୟରେ ଦୁଇ ଥର ହକି ବିଶ୍ୱକପ୍ ଆୟୋଜନ କରି ଓଡ଼ିଶା ଅନ୍ତର୍ଜାତୀୟ ସ୍ତରରେ ଅନେକ ସୁନାମ ଅର୍ଜନ କରିଛି । ହକିର ଏନ୍ତୁଡିଶାଳ ଭାବେ ସୁନ୍ଦରଗଡ ପରିଚିତ ଥିବାବେଳେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ପ୍ରୟୋଗଶାଳା ଭାବରେ ଜଣାଶୁଣା । କାରଣ ଏହି ମାଟିର ଅନେକ କ୍ରୀଡାବିତ୍ ହକି ଖେଳରେ ଜାତୀୟ ସ୍ତରରେ ସଫଳତା ହାସଲ କରିଛନ୍ତି । ଏଣୁ ଛତ୍ରପୁର ଅଞ୍ଚଳରେ ରହିଥିବା ହକି କ୍ରୀଡାବିତଙ୍କ ବିକାଶ ସହିତ ଆଗାମୀ ଯୁବପିଢିଙ୍କୁ ଏହି କ୍ରୀଡା ପ୍ରତି ଆକୃଷ୍ଟ କରିବା ପାଇଁ ନିର୍ମାଣ ହୋଇଛି ହକି ଆଷ୍ଟ୍ରୋ ଟର୍ଫ । ଯେଉଁଠାରେ ନିୟମିତ ଭାବରେ ଅଭ୍ୟାସ କରୁଛନ୍ତି ବହୁ ବିଦ୍ୟାର୍ଥୀ ଓ କ୍ରୀଡାବିତ୍ ।
ଗଞ୍ଜାମ ଜିଲ୍ଲାର ଛତ୍ରପୁରକୁ ହକିର ପ୍ରୟୋଗଶାଳା କୁହାଯାଏ । ଛତ୍ରପୁରର ଅନେକ କ୍ରୀଡାବିତ୍ ହକି ଖେଳରେ ରାଜ୍ୟ ତଥା ଜାତୀୟ ସ୍ତରରେ ସୁନାମ ଆଣିଥିବାରୁ ଏଠାକାର କ୍ରୀଡାବିତଙ୍କ ବିକାଶ ତଥା ହକି ଖେଳାଳି ହେବାକୁ ଚାହୁଁଥିବା ନୂତନ ଯୁବପିଢିକୁ ତଳସ୍ତରରୁ କିପରି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରକୁ ନିଆଯାଇପାରିବ ସେନେଇ ଉଦ୍ୟମ ଆରମ୍ଭ ହୋଇଯାଇଛି । ୧୫ ମାସରେ ରାଜ୍ୟର ସୁନ୍ଦରଗଡ ଜିଲ୍ଲାରେ ବିଶ୍ବସ୍ତରୀୟ ହକି ଷ୍ଟାଡିୟମ୍ ପ୍ରସ୍ତୁତ କରି ରାଜ୍ୟ ସରକାର ବିଶ୍ବ କ୍ରୀଡା ମାନଚିତ୍ରରେ ଓଡ଼ିଶାକୁ ସ୍ଥାନ ଦେଇଥିବାବେଳେ ଏହାରି ମଧ୍ୟରେ ଗଞ୍ଜାମ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁରର ଠାରେ ନିର୍ମାଣ ହୋଇଛି ଆଷ୍ଟ୍ରୋ ଟର୍ଫ ଷ୍ଟାଡିୟମ୍ । ଏହାକୁ ହକି ପ୍ରଶିକ୍ଷଣ କେନ୍ଦ୍ର ନାମରେ ନାମିତ କରାଯାଇଛି । ଏହି ପ୍ରଶିକ୍ଷଣ କେନ୍ଦ୍ରରେ ପ୍ରତ୍ୟେକ ଦିନ ଶତାଧିକ ବିଦ୍ୟାର୍ଥୀ ଓ କ୍ରୀଡାବିତ୍ ତାଲିମ ନେଉଛନ୍ତି ।
ହକି ପ୍ରତି ଆଗ୍ରହୀ ଥିବା ନୂତନ ଯୁବପିଢି ଏବଂ କ୍ରୀଡାବିତଙ୍କ ଅଭ୍ୟାସ ପାଇଁ ଛତ୍ରପୁରଠାରେ ରାଜ୍ୟ ସରକାରଙ୍କୁ ଅତ୍ୟାଧୁନିକ ହକି ଷ୍ଟାଡିୟମ୍ ନିର୍ମାଣ କରିବାକୁ ଅନୁରୋଧ କରାଯାଇଥିଲା । ଏହାପରେ ଗତ ବର୍ଷ ସେପ୍ଟେମ୍ୱର ମାସରେ ସରକାର ଏଠାରେ ଗୋଟିଏ ହକି ଆଷ୍ଟ୍ରୋ ଟର୍ଫ ବା ହକି ପ୍ରଶିକ୍ଷଣ କେନ୍ଦ୍ରର ନିର୍ମାଣ ପାଇଁ ମଞ୍ଜୁରୀ ପ୍ରଦାନ କରିଥିଲେ । ବର୍ତ୍ତମାନ ପ୍ରଶିକ୍ଷଣ କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଖୁବଶ୍ରୀଘ୍ର ଏହା ହସ୍ତାନ୍ତର ହେବ ବୋଲି ଜଣାଯାଇଛି ।