ବ୍ରହ୍ମପୁର: ସବୁ ଅପେକ୍ଷାର ଅନ୍ତ । ଭକ୍ତଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସ ଆହୁରୀ ଦୁଇଗୁଣା ହୋଇଛି । ବ୍ରହ୍ମପୁରର ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରାକୁ ଅନୁମତି ମିଳିବା ପରେ ଆସନ୍ତା ଏପ୍ରିଲ 9ରେ ଆରମ୍ଭ ହେବ ଯାତ୍ରା । ଏ ନେଇ ରୀତିନୀତି ଅନୁସାରେ ଗତକାଲି ମା'ଙ୍କ ଶୁଭଖୁଣ୍ଟି ସ୍ଥାପନ ହୋଇଛି ।
ମାଆ ବୁଢୀ ଠାକୁରାଣୀଙ୍କ ଯାତ୍ରା ସ୍ଥାପନ ହେଲା ଶୁଭଖୁଣ୍ଟି ମା'ଙ୍କୁ ନିମନ୍ତ୍ରଣ ପାଇଁ ରାତ୍ର ୯ଟା ରୁ ୧୧ ଟା ଭିତରେ ମା'ଙ୍କ ବାପଘର ଦେଶୀବେହେରାଙ୍କ ସମେତ ସହରବାସୀ ବାହାରିଥିଲେ । ଏହାପରେ ମା'ଙ୍କ ଆଜ୍ଞାମାଳ ମିଳିବା ପରେ ମା' ରାତ୍ର 12 ଟା ଠାରୁ 4 ଟା ମଧ୍ୟରେ ଆସିବେ ନିଜର ବାପା ଘର ସାହିରେ ରହିଥିବା ଅସ୍ଥାୟୀ ମନ୍ଦିରକୁ । ମା'ଙ୍କ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ ସାଧାରଣ ଜନତାଙ୍କ ଉପସ୍ଥିତରେ ପାରମ୍ପରିକ ରୀତିନୀତିରେ ଆୟୋଜିତ ହୋଇଥିବା ସହିତ ମା’ଙ୍କ ଆଗମନ ପାଇଁ ଶୁଭବେଳାର ସୂଚନା ପ୍ରଦାନ କରିଛନ୍ତି ଯାତ୍ରାର ସିଦ୍ଧାନ୍ତୀ ।
ସେପଟେ ପ୍ରଶାସନ ପକ୍ଷରୁ ଚଳିତବର୍ଷର ଯାତ୍ରାକୁ ଏକ ସପ୍ତାହ ଆୟୋଜନ କରିବା ପାଇଁ ଅନୁମତି ପ୍ରଦାନ କରିଥିବା ବେଳେ କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ଯାତ୍ରାର ସମୟ ବୃଦ୍ଧି କରାଯିବ । ଶୁଭଖୁଣ୍ଟି ସ୍ଥାପନ ସମୟରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ସୁବାସ ମହାରଣା, ଟି. ଗୋପୀ. ପି. ଆଶାରାଣୀଙ୍କ ସମେତ ବହୁ ଭକ୍ତ ଓ ଜନସାଧାରଣ ଉପସ୍ଥିତ ରହିଥିଲେ । ଯାତ୍ରା ପରିଚାଳକ ପି.ଦୁର୍ଗା ପ୍ରସାଦ ଦେଶୀ ବେହେରା ପରମ୍ପରା ଅନୁଯାୟୀ ସମସ୍ତ କାର୍ଯ୍ୟ ପରିଚାଳନା କରିବା ପରେ ଶୁଭଖୁଣ୍ଟିକୁ ନେଇ ମାଆଙ୍କ ମୁଖ୍ୟ ପୀଠରେ ପୁଜାର୍ଚ୍ଚନା କରିଥିଲେ । ଏହା ପରେ ଏହାକୁ ଏକ ବିରାଟ ପଟୁଆରରେ ସହର ପରିକ୍ରମା କରାଯାଇଥିଲା । ପରେ ସେଠାରେ ଥିବା ଅସ୍ଥାୟୀ ମନ୍ଦିର ନିକଟରେ ବିଳମ୍ବିତ ରାତ୍ରରେ ଶୁଭଖୁଣ୍ଟି ସ୍ଥାପନ ହେଇଥିଲା ।
ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ବ୍ରହ୍ମପୁରର ଏସ୍.ଡି.ପି.ଓ ଙ୍କ ସମେତ ବଡବଜାର ପୋଲିସ ଉପସ୍ଥିତ ରହିଥିଲେ । ଧରା ପୃଷ୍ଠକୁ ମା' ଆସିଲେ ସମସ୍ତ ରୋଗ ଭୟ ଦୂର ହେବ ବୋଲି ଭକ୍ତଙ୍କ ମଧ୍ୟରେ ବିଶ୍ବାସ ରହିଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ