ବ୍ରହ୍ମପୁର:ବ୍ରହ୍ମପୁରର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ଯାତ୍ରା । ଏନେଇ ଶୁଭ ଖୁଣ୍ଟି ସ୍ଥାପନ ପାଇଁ ତାରିଖ ଚୁଡାନ୍ତ ହୋଇଛି । ଚଳିତ ମାସର ୧୭ ଏବଂ ୧୯ ତାରିଖକୁ ମାଁଆଙ୍କ ବାପଘର କୁହାଯାଉଥିବା ଦେଶୀ ବେହେରାଙ୍କ ମୁଖ୍ୟ ପୂଜକଙ୍କ ପକ୍ଷରୁ ଚୟନ କରାଯାଇଛି । ତେଣୁ ପ୍ରଶାସନ ଏବଂ ଅନ୍ୟାନ୍ୟ ସୁବିଧାକୁ ଦୃଷ୍ଟିରେ ରଖି ଏହି ଦୁଇଟି ତାରିଖ ମଧ୍ୟରୁ ଗୋଟିଏ ତାରିଖକୁ ଚୁଡାନ୍ତ କରାଯିବ ।
ପ୍ରତି 2ବର୍ଷକୁ ଥରେ ଆୟୋଜିତ ହେଉଥିବା ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଚଳିତ ବର୍ଷ ଆୟୋଜିତ ହେବାକୁ ଯାଉଛି । ଏନେଇ ମାଙ୍କ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ ପାଇଁ ତାରିଖ ଧାର୍ଯ୍ୟ ହୋଇଛି । ମାଆଙ୍କ ବାପଘର କୁହାଯାଉଥିବା ଦେଶୀ ବେହେରାଙ୍କ ସାହିରେ ଯାତ୍ରାର ଆୟୋଜନ ପୂର୍ବରୁ ଶୁଭଖୁଣ୍ଟି କେବେ ସ୍ଥାପନ ହେବ ତାହା ନିର୍ଦ୍ଧାରିତ ହୋଇଥାଏ । ଶୁଭଖୁଣ୍ଟି ସ୍ଥାପନ ଦିନ ମାଙ୍କ ଯାତ୍ରା କେବେ ଆରମ୍ଭ ହେବ ଏବଂ କେବେ ଶେଷ ହେବ ତାହା ଦେଶୀ ବେହେରାଙ୍କ ମୁଖ୍ୟ ପୂଜକ ପକ୍ଷରୁ ସେଠାରେ ଆୟୋଜିତ ହେଉଥିବା ସାଧାରଣ ସଭାରେ ସ୍ଥିର କରିଥାଆନ୍ତି । ସଭାରେ ଯାତ୍ରା ସମ୍ପର୍କରେ ଏକ ଲିଖିତ ଚିଠା ପାଠ ପରେ ଶୁଭଖୁଣ୍ଟି ପୂଜା କରାଯିବା ପାଇଁ ମାଁଆଙ୍କ ପୀଠକୁ ସମସ୍ତେ ଏକ ବିରାଟ ଶୋଭାଯାତ୍ରାରେ ଯାଇ ସେଠାରେ ପାରମ୍ପରିକ ରୀତିନୀତିରେ ପୂଜା କରିଥାଆନ୍ତି । ଏହାପରେ ଶୁଭଖୁଣ୍ଟିକୁ ଆଣି ନିର୍ମାଣ ହେବାକୁ ଥିବା ଅସ୍ଥାୟୀ ମନ୍ଦିର ନିକଟରେ ସ୍ଥାପନ କରାଯିବାର ପରମ୍ପରା ରହିଛି ।