ବ୍ରହ୍ମପୁର :ସଂସଦ ଓ ସମସ୍ତ ବିଧାନସଭାରେ ୩୩ ପ୍ରତିଶତ ଆସନ ମହିଳାଙ୍କ ପାଇଁ ସଂରକ୍ଷଣ ବିଲ୍ ପାରିତ ହୋଇଛି । ଏହାକୁ ନେଇ ଖୁସି ଜାହିର କଲା ବିଜେପି ମହିଳା ମୋର୍ଚ୍ଚା । ଏହି ଅବସରରେ ଗଞ୍ଜାମ ଜିଲ୍ଲା ମହିଳା ମୋର୍ଚ୍ଚାର ସଭାନେତ୍ରୀ ରତ୍ନଗର୍ଭା ସରସ୍ଵତୀ ଦେବୀଙ୍କ ନେତୃତ୍ବରେ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ତେବେ ଏହି ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ଏଭଳି ଯୁଗାନ୍ତକାରୀ ନିଷ୍ପତ୍ତିକୁ ନେଇ ବିଜେପି ମହିଳା ମୋର୍ଚ୍ଚାର ରାଜ୍ୟ ସଭାନେତ୍ରୀ ଡ଼.ଐଶ୍ୱର୍ଯ୍ୟା ବିଶ୍ୱାଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ କୃତଜ୍ଞତା ଜଣାଇଛନ୍ତି ।
ତେବେ ବ୍ରହ୍ମପୁର ଉତ୍କଳ ଆଶ୍ରମ ସ୍ଥିତ ସଭାଗୃହରେ ଗଞ୍ଜାମ ଜିଲ୍ଲା ମହିଳା ମୋର୍ଚ୍ଚାର କର୍ମକର୍ତ୍ତାମାନେ ଉପସ୍ଥିତ ରହି ସ୍ୱାଧୀନତା ପରଠୁ ଦେଶର କୌଣସି ରାଜନୈତିକ ଦଳ ମହିଳାଙ୍କ ଅଧିକାର ସାବ୍ୟସ୍ତ କ୍ଷେତ୍ରରେ ଉଚିତ ପଦକ୍ଷେପ ନେଇନଥିବା ବେଳେ କେବଳ କୁମ୍ଭୀର କାନ୍ଦଣା କାନ୍ଦିଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିଜେପି ନେତ୍ରୀ । ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ଼ ଇଚ୍ଛାଶକ୍ତି ବଳରେ ଦୀର୍ଘ ୨୭ ବର୍ଷ ଧରି ଅଟକିଥିବା ମହିଳା ଆରକ୍ଷଣ ବିଲ୍ ସଂସଦର ଉଭୟ ଗୃହରେ ପାରିତ ହୋଇ ଆଇନ୍ରେ ପରିଣତ ହୋଇପାରିଛି ବୋଲି କହିଛନ୍ତି ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡ଼.ଐଶ୍ୱର୍ଯ୍ୟା ବିଶ୍ୱାଳ । ପ୍ରଥମଥର ପାଇଁ ଭାରତୀୟ ଜନତା ପାର୍ଟି ରାଜନୈତିକ କ୍ଷେତ୍ରରେ ମହିଳାଙ୍କୁ ସୁଯୋଗ ଦେଇ ଦୃଷ୍ଟାନ୍ତମୂଳକ ଉଦାହରଣ ସୃଷ୍ଟି କରିପାରିଛି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।