bjp and bjd workers face up ବ୍ରହ୍ମପୁର: 5ଟି ସଚିବ ଭିକେ ପାଣ୍ଡିଆନଙ୍କ ଗଞ୍ଜାମ ଗସ୍ତକୁ ଦିଗପହଣ୍ଡିରେ ବିରୋଧ ବେଳେ ମୁହାଁମୁହିଁ ବିଜେପି ଓ ବିଜେଡି । ବିଜେଡିର ଦଳର କର୍ମୀ ମାନେ ଆକ୍ରମଣ କରିଥିବା ଅଭିଯୋଗ ଆଣିଲା ବିଜେପି । ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅଭିଯୋଗପତ୍ର ଦାଖଲ କଲା ବିଜେପିର ପ୍ରତିନିଧି ଦଳ । ସ୍ଥାନୀୟ ପୁଞ୍ଜିକୟାଁ ଛକରେ ସ୍ଥାନୀୟ ବିଜେପି ଦଳର ନେତା ମହନ୍ତ ଚିନ୍ମୟଦାସ ମହାରାଜଙ୍କ ସମେତ ଅନ୍ୟକର୍ମୀ ମାନେ ମିଳିତ ଭାବେ ବିରୋଧ କରୁଥିବା ବେଳେ ବିଜେଡ଼ି ଦଳର କେତେକ କର୍ମୀଙ୍କ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା ।
ବିଜେପି ଅଭିଯୋଗପତ୍ରରେ ଦର୍ଶାଇଛି ଯେ, ଦିଗପହଣ୍ଡି ଠାରେ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରାଯାଉଥିବା ବେଳେ ପୋଲିସ ଉପସ୍ଥିତିରେ ବିଜେଡ଼ି ଦଳର କିଛି ବ୍ୟକ୍ତି ବିଶେଷ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଏଥି ସହ ହତ୍ୟା ଧମକ ସହ ଆକ୍ରମଣ ମଧ୍ୟ କରିଥିଲେ । ଏହି ଘଟଣାରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯିବାକୁ ଦଳ ପକ୍ଷରୁ ଦାବି କରାଯାଇଛି । ନଚେତ ଆଗାମୀ ଦିନରେ ବିଜେପି ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ ବୋଲି ଚେତାବନି ଦିଆଯାଇଛି ।
ଏହା ମଧ୍ୟ ପଢନ୍ତୁ-ବଦଳିଗଲା 5ଟି ସଚିବଙ୍କ ସୁରକ୍ଷାକର୍ମୀଙ୍କ ପୋଷାକ ରଙ୍ଗ
ଅଭିଯୋଗ ପତ୍ର ଦାଖଲ ସମୟରେ ବିଜେପିର ବରିଷ୍ଠ ନେତା ମହନ୍ତ ଚିନ୍ମୟାନନ୍ଦ ଦାସ, ଶଙ୍କର ପ୍ରଧାନ, ମିଟୁ ଦୋରାଙ୍କ ସମେତ ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ସିଦ୍ଧାନ୍ତ ଗଙ୍ଗଦେବ, ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ ରାଜେଶ କୁମାର ସାହୁ, ଜିଲ୍ଲା ଉପସଭାପତି ସୁନିଲ କୁମାର ସାହୁ, ରାମ କୁମାର ପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀଙ୍କ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ । ସେପଟେ 5ଟି ସଚିବଙ୍କ ଗସ୍ତକୁ ବିଜେପି ନେତା ଉତ୍ତମ ପାଣିଗ୍ରାହୀଙ୍କ ନେତୃତ୍ୱରେ ବିରୋଧ କରାଯିବାରୁ ତାଙ୍କୁ ପୋଲିସ ଉଠାଇ ନେଇଥିଲା ।
ତିନିଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ନିର୍ବାଚନମଣ୍ଡଳୀକୁ 5ଟି ସଚିବ ଗସ୍ତ କରିଥିଲେ । ରବିବାର ଗସ୍ତର ଶେଷ ଦିନ ଥିଲା । ପ୍ରଥମେ ସଚିବ ବ୍ରହ୍ମପୁର ସ୍ଥିତ ଆମ୍ୱପୁଆ ବିବେକ ବିହାର ଠାରେ ଜନଶୁଣାଣିରେ ସାମିଲ ହୋଇଥିଲେ । ପରେ ଜିଲ୍ଲାର ସାନଖେମୁଣ୍ଡି ସ୍ଥିତ ରାମଚନ୍ଦ୍ରପୁର ଠାରେ ଆୟୋଜିତ ଜନଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହା ପରେ ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ଷ୍ଟାଡିୟମ୍ ଠାରେ ଜନଶୁଣାଣିରେ ସାମିଲ ହୋଇ ଚିକିଟି ଠାରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଛତ୍ରପୁର ଠାରେ ଆୟୋଜିତ ଜନଶୁଣାଣି କାର୍ଯ୍ୟକ୍ରମ ଶେଷ କରି ଭୁବନେଶ୍ୱର ଫେରିଥିଲେ 5ଟି ସଚିବ ।
ଇଟିଭି ଭାରତ, ବ୍ରହ୍ମପୁର