ବ୍ରହ୍ମପୁର: ଚାହୁଁ ଚାହୁଁ ବାର ଦିନ ବିତି ଗଲାଣି । ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗକୁ ଇତି ମଧ୍ୟରେ 12 ଦିନ ହୋଇଛି । ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଦ୍ବାଦଶାହରେ ତାଙ୍କ ନିର୍ବାଚନ ମଣ୍ଡଳୀରେ ଏକ ଶ୍ରଦ୍ଧାଞ୍ଜଳି ସଭା କରାଯାଇଛି । ଦ୍ବାଦଶାହରେ ନିଜ ପ୍ରିୟ ନେତାଙ୍କୁ ଝୁରିଛନ୍ତି ନିର୍ବାଚନମଣ୍ଡଳୀ ବାସିନ୍ଦା । ସାତ ଥର ବିଧାୟକ, ବିଭିନ୍ନ ବିଭାଗର ମନ୍ତ୍ରୀ, ବାଚସ୍ପତି ଭାବେ ସୂର୍ଯ୍ୟ ନାରାୟଣ ପାତ୍ର ରାଜନୀତିରେ ଏକ ସ୍ବତନ୍ତ୍ର ଛାପ ଛାଡି ଯାଇଛନ୍ତି । ରାଜନୀତିରେ ତାଙ୍କ ଛାପକୁ ମନେ ପକାଇଛନ୍ତି ନେତା କର୍ମୀ ।
ଓଡିଶା ରାଜନୀତିର ଜଣେ ଟାଣୁଆ ନେତା ତଥା ଦିଗପହଣ୍ଡିର ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗ ପରେ ଦ୍ବାଦଶ ଦିବସରେ ତାଙ୍କ ଆତ୍ମାର ସଦଗତି କାମନା ପାଇଁ ନିର୍ବାଚନ ମଣ୍ଡଳୀର ଅନେକ ପ୍ରମୁଖ ନେତାମାନେ ଗଞ୍ଜାମ ଟାଇଗର ଟାଣୁଆ ନେତାଙ୍କୁ ହରାଇଥିବା ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଅନେକ ନେତା ସ୍ବର୍ଗତ ସୂର୍ଯ୍ୟ ପାତ୍ରଙ୍କୁ ମନେ ପକାଇ ଭାବ ବିହ୍ବଳ ହୋଇଛନ୍ତି । ନିର୍ବାଚନ ମଣ୍ଡଳୀର ସେ ଜଣେ ପିତୃତୂଲ୍ୟ ଲୋକ । ତାଙ୍କୁ କେବେ ବି ଭୁଲି ପାରିବୁ ନାହିଁ ବୋଲି କହିଛନ୍ତି ନେତା । ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ସମସ୍ତ ବର୍ଗର ବ୍ୟକ୍ତି ବିଶେଷଙ୍କ ସହିତ ସେ ବ୍ୟକ୍ତିଗତ ଭାବରେ ସୁଖ ଦୁଃଖରେ ସାମିଲ ହେଉଥିବା ବିଷୟକୁ ସମସ୍ତେ ମନେ ପକାଇଛନ୍ତି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ଏହି ଅପରାଜେୟ ଅଦ୍ଵିତୀୟ ନେତା ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ଗତ ସାଧାରଣ ନିର୍ବାଚନ ପରେ ଓଡ଼ିଶାର ବାଚସ୍ପତି ଦାୟିତ୍ବ ଦିଆଯାଇଥିଲା ।