ଭଞ୍ଜନଗର: ଆନ୍ତଃଜିଲ୍ଲା ବାଇକ ଚୋରି ରାକେଟ ଠାବ କରିଛି ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ପୋଲିସ । ୧୯ ଚୋରି ବାଇକ ଜବତ କରିବା ସହ ୭ ଅଭିଯୁକ୍ତକୁ ଗିରଫ କରାଯାଇଛି । ଭଞ୍ଜନଗର ଥାନା କେସ ନମ୍ବର ୪୮୫ ମାମଲାର ତଦନ୍ତ କରି ପୋଲିସ ଏଭଳି ସଫଳତା ପାଇଥିବା ଜଣାପଡିଛି । ଗତ ପାର୍ବଣ ସମୟରେ ଗଞ୍ଜାମ ଜିଲ୍ଲା ସମେତ କନ୍ଧମାଳ ଓ ରାୟଗଡା ଜିଲ୍ଲାରୁ ବହୁ ବାଇକ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ପୋଲିସ ବାଇକ ଚୋରଙ୍କୁ କାବୁ କରିବାରେ ବହୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ପାରିନଥିଲା ।
ଗତ ୩ ତାରିଖରେ ଭଞ୍ଜନଗର ଥାନା ଅଧୀନ ବେଲଗୁଣ୍ଠା ରୋଡ଼ ଝାଙ୍କରେଇ ମନ୍ଦିର ନିକଟରୁ ବାଇକ ଚୋରି କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ଦୁଇ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲା । ଏହା ପରେ ପୋଲିସ ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରି ଭଞ୍ଜନଗର ପୋଲିସ ସହ ବେଲଗୁଣ୍ଠା ଓ ବୁଗୁଡା ଥାନାର ବଛା ବଛା ଅଧିକାରୀଙ୍କୁ ନେଇ ଏକ ଟିମ ବିଭିନ୍ନ ସ୍ଥାନରେ ଚଢଉ କରି ୧୯ଟି ମୋଟର ସାଇକେଲ ଉଦ୍ଧାର କରିବା ସହ ୭ ଜଣ ଅଭିଯୁକ୍ତକୁ ଗିରଫ କରିଛି । ଯାହା ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିଜୟ କୁମାର ମଲ୍ଲିକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।