ଭଞ୍ଜନଗର: ଚାଷୀ ହସିଲେ ଦୁନିଆ ହସିବ । ସେଥିପାଇଁ ସରକାରଙ୍କ କାହିଁ କେତେ ଯୋଜନା ଆଉ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ହେଲେ ଏଠି ଘଟଣା ଘଟୁଛି ଓଲଟା । ମୁଣ୍ଡ ଝାଳ ତୁଣ୍ଟରେ ମାରି ଯିଏ ସାରା ଦୁନିଆକୁ ବଞ୍ଚିବା ପାଇଁ ସଞ୍ଜିବନୀ ଯୋଗାଇଥାଏ, ସିଏ ଆଜି ଯନ୍ତ୍ରଣାରେ ଜର୍ଜରିତ ।
ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକର ଚାଷୀଙ୍କ କଥା ନକହିବା ଭଲ । କୋଟି କୋଟି ଟଙ୍କା ବ୍ୟୟରେ କ୍ଷେତକୁ ପାଣି ଯୋଗାଇବା ପାଇଁ ତିନୋଟି ମେଗା ପ୍ରୋଜେକ୍ଟ କରାଗଲା । ସୋରଡା, ମୁର୍ଗାପଲ୍ଲୀ, ଗୋକୁଳପୁର ଠାରେ ଏହି ପ୍ରୋଜେକ୍ଟ ଜୋରସୋରରେ ଚାଲିଲା । ବିଲରେ ପାଇପ ବିଛାଗଲା । ବର୍ଷ ତମାମ କ୍ଷେତକୁ ଜଳ ଯୋଗାଯିବ ଶୁଣି ଚାଷୀ ଖୁସୀରେ ଆତ୍ମହରା ହୋଇଗଲେ । ଭାବିଲେ ଏବେ ଦୁଃଖ ଗଲା, ଆଉ ବାହାରକୁ ଦାଦନ ଖଟି ଯିବାକୁ ପଡିବନି ।
ତିନୋଟି ପଞ୍ଚାଯତର ଡୁମ୍ବୂଳ, ମାଣିଆକାଠି, ଧନପୁର, ଖାରିଗୁଡା, ଗୋକୁଳପୁର, କୁଟିଳଗୁଡା, ପତମା, ହସ୍ତିନା, ହରିପୂର, ଗୁଡାରି, ମାଧପୁର ଆଦି ଗ୍ରାମର 500 ହେକ୍ଟର ଚାଷ ଜମିକୁ ପାଣି ଯିବ ଏବଂ ଦୁଇ ହଜାର ପରିବାର ଉପକୃତ ହେବେ । ସେଠାରେ କେବଳ ବର୍ଷା ଋତୁରେ ମାଣ୍ଡିଆ, ସୋୟା, ବିରି, ମୁଗ, କାନ୍ଦୁଲ କରି ଚଲୁଥିଲେ । ହେଲେ ଏହି ପ୍ରକଳ୍ପ ଦ୍ବାରା ଚାଷୀମାନେ ବର୍ଷସାରା ଘରେ ରହି ରୋଜଗାର କରିପାରିବେ ବୋଲି ସ୍ବପ୍ନ ଦେଖିଲେ । କିନ୍ତୁ, ସେମାନଙ୍କ ସ୍ବପ୍ନ ସ୍ବପ୍ନରେ ରହିଗଲା । ଯେଉଁ ପାତମା ନଦୀ କୂଳରେ ପ୍ରୋଜେକ୍ଟ ଆରମ୍ଭ ହୋଇଛି ସେହି ନଦୀ ଗର୍ଭରେ ବୋରିଙ୍ଗ ହୋଇଛି ।