ବ୍ରହ୍ମପୁର: ପାଞ୍ଚ ଦଫା ଦାବି ନେଇ କଳାବ୍ୟାଜ ପରିଧାନ କରି ଆନ୍ଦୋଳନକୁ ଓଲ୍ଲାଇଲା ପ୍ରାଣୀ ଚିକିତ୍ସା ବୈଷୟିକ ସଙ୍ଘ । ସରକାର ବାରମ୍ବାର ଅଣଗେଜେଟେଡ ପ୍ରାଣୀ ଚିକିତ୍ସକଙ୍କୁ ଅଣଦେଖା କରୁଥିବା ଅଭିଯୋଗ ହୋଇଆସିଛି । ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଥିଲେ ମଧ୍ୟ କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛି ପ୍ରାଣୀ ଚିକିତ୍ସା ବୈଷୟିକ ସଙ୍ଘ । ଏହାକୁ ନେଇ ବ୍ରହ୍ମପୁରଠାରେ ସଙ୍ଘର ଗଞ୍ଜାମ ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ମିଶ୍ରଙ୍କ ନେତୃତ୍ୱରେ ସମସ୍ତ କର୍ମଚାରୀ କଳାବ୍ୟାଜ୍ ପରିଧାନ କରି ବିକ୍ଷୋଭ କରିଛନ୍ତି । ଏହାସହ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷଙ୍କ ଜରିଆରେ ସରକାରଙ୍କୁ ପାଞ୍ଚ ଦଫା ଦାବି ଜଣାଇଛନ୍ତି ।
ସଭାପତି ପ୍ରଶାନ୍ତ କୁମାର ମିଶ୍ର କହିଛନ୍ତି, ‘‘ଦରମା ବୃଦ୍ଧିକୁ ନେଇ ପ୍ରାଣୀ ଚିକିତ୍ସା ବୈଷୟିକ ସଙ୍ଘ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଦୀର୍ଘ ବର୍ଷ ଧରି ଦାବି କରାଯାଉଛି । ଏହାସହ ଅସଙ୍ଗତି ଦୂରୀକରଣ କରିବା କ୍ୟାଡର ପୁର୍ନଗଠନ କରିବା, ନିଯୁକ୍ତି ନିୟମ ସଂଶୋଧନ କରିବା, ଦୁଇ ବର୍ଷୀୟା ଡିପ୍ଲୋମା ଓ ତାର ନାମକରଣ କରିବା, କାର୍ଯ୍ୟସାରଣୀର ସଂଶୋଧନ କରିବା ଭଳି ଦାବିକୁ କରାଯାଇଛି । ରାଜ୍ୟର ଛଅ ହଜାରରୁ ଅଧିକ ଗ୍ରାମପଞ୍ଚାୟତ ଏବଂ ସହରାଞ୍ଚଳରେ ତୃଣମୂଳସ୍ତରରେ କାର୍ଯ୍ୟରତ ରହି ପ୍ରାଣୀ ସମ୍ପଦର ସୁରକ୍ଷା ଦିଗରେ କାର୍ଯ୍ୟ କରୁଛନ୍ତି । ସରକାରଙ୍କ ପ୍ରତ୍ୟେକ ଯୋଜନାର ସଫଳ ରୂପାୟନ କରି ଆସୁଛନ୍ତି । ହେଲେ ମଧ୍ୟ ଅଦ୍ୟାବଧି ସରକାର ଆମମାନଙ୍କ ଦାବିକୁ ଗୁରୁତ୍ବ ଦେଉ ନାହାନ୍ତି । ନା ଦରମାରେ ବୃଦ୍ଧି ଘଟୁଛି ନା ଗ୍ରେଡ୍ରେ । ଚରମ ଅବହେଳାର ଶୀକାର ହେବାକୁ ପଡୁଛି ।’’