ଓଡିଶା

odisha

ETV Bharat / state

ଗଞ୍ଜାମ ଧରାପଡିଲା ଜାଲ ସାର୍ଟିଫିକେଟ ରାକେଟ, 4ଜଣ ଗିରଫ - ମୋଟା ଅଙ୍କର ଟଙ୍କା ନେଇ ଦେଉଥିଲେ ଫେକ ସାର୍ଟିଫିକେଟ

ମୋଟା ଅଙ୍କର ଟଙ୍କା ନେଇ ଦେଉଥିଲେ ଫେକ ସାର୍ଟିଫିକେଟ। ଚାରି ଜଣଙ୍କୁ ଗିରଫ କଲା ପୋଲିସ। ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Apr 25, 2023, 11:12 AM IST

ବ୍ରହ୍ମପୁର:ବଲାଙ୍ଗୀର ପରେ ଗଞ୍ଜାମ ଜିଲ୍ଲାରୁ ଠାବ ହେଲା ଜାଲ ସାର୍ଟିଫିକେଟ ରାକେଟ । ମୋଟା ଅଙ୍କର ଟଙ୍କା ନେଇ ବିଦ୍ୟାର୍ଥୀଙ୍କୁ ଜାଲ୍‌ ସାର୍ଟିଫିକେଟ ଯୋଗାଉଥିଲେ ନିଲମ୍ବିତ ଶିକ୍ଷକ । ଏହି ଗ୍ୟାଙ୍କୁ ଏବେ ଧରିବାରେ ସଫଳ ହୋଇଛି ଗୋଷାଣିନୂଆଗାଁ ପୋଲିସ । ଜାଲ ସାର୍ଟିଫିକେଟ ମାମଲାରେ ପୋଲିସ 4ଜଣଙ୍କୁ ଗିରଫ କରିଛି । ଗିରଫ ଚାରି ଜଣ ହେଉଛନ୍ତି ଜଣେ ନିଲମ୍ବିତ ଶିକ୍ଷକ ଦୈତାରୀ ବେହେରା ଏବଂ ତାଙ୍କ ପୁଅ ଅମୃତ ପ୍ରସାଦ ବେହେରା, ଢେଙ୍କାନାଳର ଜେରକ୍ସ ଦୋକାନ ମାଲିକ ଓ କଟକର କିଶୋର କୁମାର ବେହେରା । ଏନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ।

ସେ କହିଛନ୍ତି ଯେ, ସହରରେ ଥିବା ଏକ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଜଣେ କାର୍ଯ୍ୟରତ ଶିକ୍ଷକ ମନୋରଞ୍ଜନ ଗୌଡ ତାଙ୍କ ପତ୍ନୀଙ୍କୁ ମିଳିଥିବା ବିଏଡ୍ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର ଉପରେ ସନ୍ଦେହ କରି ଗତ 21ତାରିଖରେ ଥାନାରେ ଅଭିଯୋଗ କରିଥିଲେ । 2016-17 ମସିହାରେ ମନରଞ୍ଜନଙ୍କ ପତ୍ନୀ ଦୈତାରୀ ବେହେରାଙ୍କ ମଧ୍ୟସ୍ଥତାରେ ବିଏଡ୍ ଶିକ୍ଷା ଗ୍ରହଣ ପାଇଁ ଆନ୍ଦ୍ରପ୍ରଦେଶର ଗୁଣ୍ଟୁରରେ ରହିଥିବା ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଥିଲେ ।

ଏହାପରେ ତାଙ୍କ 2019ରେ ତାଙ୍କ ପତ୍ନୀଙ୍କ ବିଏଡ୍ ଶିକ୍ଷା ଶେଷ ହୋଇଥିଲେ ମଧ୍ୟ ମଧ୍ୟସ୍ଥତା କରୁଥିବା ଦୈତାରୀ ବେହେରା ତାଙ୍କୁ କୌଣସି ପ୍ରମାଣପତ୍ର ଦେଇନଥିଲା । ଶେଷରେ ଚାରୋଟି ସେମିଷ୍ଟାରର ମାର୍କସିଟ୍ ସହିତ ପ୍ରୋଭିଜନାଲ୍ ପ୍ରମାଣପତ୍ର ପ୍ରଦାନ କରିଥିଲେ । କିନ୍ତୁ ଉକ୍ତ ପ୍ରମାଣପତ୍ର ଉପରେ ଅଭିଯୋଗକାରୀ ମନରଞ୍ଜନଙ୍କ ସନ୍ଦେହ ହୋଇଥିଲା। ସେ ତାହାର ଯାଞ୍ଚ କରିବାକୁ ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ୱବିଦ୍ୟାଳୟକୁ ଯାଇଥିଲେ । ଅନୁଧ୍ୟାନ କରିବା ପରେ ଉକ୍ତ ପ୍ରମାଣପତ୍ର ନକଲି ରହିଥିବା ଜାଣିବାକୁ ପାଇଥିଲେ । ଆଉ ଏହାରି ମଧ୍ୟରେ ଅଭିଯୁକ୍ତ ସରକାରୀ ଶିକ୍ଷକ ଦୈତାରୀ ବେହେରା ଅଭିଯୋଗକାରୀଙ୍କଠାରୁ ଚେକ୍‌ ଆକାରରେ ଟଙ୍କା ନେଇଯାଇଥିଲା ।

ଏନେଇ ମନୋରଞ୍ଜନ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରି ଦୈତାରୀ ବେହେରା ଏବଂ ତାଙ୍କ ପୁଅ ଅମୃତ ପ୍ରସାଦ ବେହେରାଙ୍କୁ ଗିରଫ କରିଛି। ଏଥିସହ ଜାଲ ସାର୍ଟିଫିକେଟ୍ ଯୋଗାଇ ଆସୁଥିବା ଢେଙ୍କାନାଳ ଜିଲ୍ଲାର ଏକ ଜେରେକ୍ସ ଦୋକାନ ମାଲିକ ପ୍ରଶାନ୍ତ କୁମାର ସାହୁ ଓ ଲେବୁଲଗୁଡିକୁ ଯୋଗାଇ ଆସୁଥିବା କଟକ ମଙ୍ଗଳବାଗ ଅଞ୍ଚଳର କିଶୋର କୁମାର ବେହେରାଙ୍କୁ ପୋଲିସ ଗିରଫ କରିଛି ।

ପ୍ରଶାନ୍ତ କୁମାର ପାଖରୁ ବହୁ ପରିମାଣର ଦଶମ ଓ ଯୁକ୍ତ ଦୁଇଠାରୁ ଆରମ୍ଭ କରି ବିଭିନ୍ନ ବିଶ୍ୱବିଦ୍ୟାଳୟର ଫେକ୍ ସାର୍ଟିଫିକେଟ୍ ଜବତ କରିଛି । ସେହିପରି ଅଭିଯୁକ୍ତ କିଶୋର ଉକ୍ତ ଫେକ୍ ସାର୍ଟିଫିକେଟରେ ବ୍ୟବହାର ହେଉଥିବା ଲେବୁଲ୍ ଗୁଡିକୁ ଯୋଗାଇ ଆସୁଥିବାରୁ ପୋଲିସ ତାକୁ ଗିରଫ କରିଛି । ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ସେପଟେ ଗିରଫ ଅଭିଯୁକ୍ତଙ୍କ ବିଭିନ୍ନ ଶିକ୍ଷାଗତ ଯୋଗ୍ୟତାରେ ବ୍ୟବହାର ହେଉଥିବା ନକଲି ସିଲ୍, ଲେବୁଲ୍‌ଠାରୁ ଆରମ୍ଭ କରି ପ୍ରମାଣପତ୍ର ପ୍ରସ୍ତୁତ କରାଯାଉଥିବା ପ୍ଲେନ୍ ଡକ୍ୟୁମେଣ୍ଟ, କମ୍ପ୍ୟୁଟର, ପ୍ରିଣ୍ଟର ଭଳି ନକଲି ସାର୍ଟିଫିକେଟ୍ ପ୍ରସ୍ତୁତ ସରଞ୍ଜାମକୁ ଜବତ କରାଯାଇଥିବା ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା.ଶ୍ରବଣ ବିବେକ ଏମ୍ ।

ଇଟିଭି ଭାରତ, ବ୍ରହ୍ମପୁର

For All Latest Updates

ABOUT THE AUTHOR

...view details