ବ୍ରହ୍ମପୁର: ଇଚ୍ଛାପୁର-ଟାଙ୍ଗୀ ୧୬ ନଂ ଜାତୀୟ ରାଜପଥ ପ୍ରଶସ୍ତିକରଣ କାର୍ଯ୍ୟ ଶୀଘ୍ର ଆରମ୍ଭ କରିବା ପାଇଁ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କ ସହ ଆଲୋଚନା କରିଛନ୍ତି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ । ଇଚ୍ଛାପୁର ଠାରୁ ଟାଙ୍ଗୀ ପର୍ଯ୍ୟନ୍ତ ପ୍ରାୟ ୪୦ କିଲୋମିଟର ରହିଥିବା ୧୬ ନମ୍ବର ଜାତୀୟ ରାଜପଥକୁ ୬ ଲେନ ବିଶିଷ୍ଟ କରିବା ନେଇ ପ୍ରସ୍ତାବ ରହିଛି । ଏହି ଏନଏଚ ଖୋର୍ଦ୍ଧା ଏବଂ ବାଲୁଗାଁ ସହର ଅତିକ୍ରମ କରିବା ବେଳେ ମାତ୍ରାଧିକ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ତେଣୁ ଯଥାଶୀଘ୍ର ଏହି ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଆରମ୍ଭ ହେଲେ ଟ୍ରାଫିକ ସମସ୍ୟା ଦୂର ହେବା ସହ ଦୁର୍ଘଟଣା ହ୍ରାସ ପାଇବ । ଏହି ପରିପ୍ରେକ୍ଷୀରେ ସାଂସଦ ଦିଲ୍ଲୀ ଠାରେ କେନ୍ଦ୍ରମନ୍ତ୍ରୀକୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ପୂର୍ବରୁ ସଂସଦରେ ଏହି ପ୍ରସଙ୍ଗ ଉଠିଥିଲା । ଗୃହରେ ଆଲୋଚନା ସମୟରେ ଇଚ୍ଛାପୁର-ଟାଙ୍ଗୀ ୧୬ ନଂ ଜାତୀୟ ରାଜପଥକୁ ୬ ଲେନ କରିବା ପାଇଁ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା । ଏହାପରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଇଚ୍ଛାପୁର ଓ ଟାଙ୍ଗୀ ସେସନକୁ ଅପଗ୍ରେଡ କରାଯାଇ ୬ ଥାକିଆ କରିବା ସମ୍ପର୍କିତ ପ୍ରସ୍ତାବକୁ ମଞ୍ଜୁର ଦେଇଥିଲେ । କିନ୍ତୁ ଅଦ୍ୟାବଧି ଏହି ପ୍ରଶସ୍ତିକରଣ କାର୍ଯ୍ୟ ଆରମ୍ଭ ହୋଇପାରିନି । ଏ ସମ୍ପର୍କରେ ସାଂସଦ ଦାବିପତ୍ର ଜରିଆରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ଏହାମଧ୍ୟ ପଢନ୍ତୁ: ରେଳ ଲାଇନ ବିକାଶ ପାଇଁ ରେଳମନ୍ତ୍ରୀଙ୍କୁ ଭେଟିଲେ ବ୍ରହ୍ମପୁର ସାଂସଦ