ଓଡିଶା

odisha

By

Published : May 11, 2023, 9:00 PM IST

Updated : May 11, 2023, 9:09 PM IST

ETV Bharat / state

ଗ୍ରୀଷ୍ମପ୍ରଭାବରେ ସଂଗ୍ରହ ହୋଇପାରୁନି ରକ୍ତ, ଭଣ୍ଡାରରେ ଦେଖାଦେଲାଣି ସଙ୍କଟ

ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ରକ୍ତଭଣ୍ଡାରରେ ଦେଖାଦେଲାଣି ରକ୍ତ ସଙ୍କଟ । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଗ୍ରୀଷ୍ମ ଦିନରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ରକ୍ତର ଅଭାବ ଦେଖିବାକୁ ମିଳିଛି । ଏଭଳି ସ୍ଥିତିରେ ଯେଉଁମାନେ ରକ୍ତ ନେଉଛନ୍ତି ସେମାନଙ୍କର ସମ୍ପର୍କୀୟଙ୍କୁ ଆଣି ଗୋଟିଏ ୟୁନିଟ୍ ରକ୍ତଦାନ ପାଇଁ ମେଡିକାଲ କର୍ତ୍ତୃପକ୍ଷ ଆହ୍ବାନ ଦେଇଛନ୍ତି । ଦେଖନ୍ତୁ ଏହି ରିପୋର୍ଟ

Blood crisis in Berhampur MKCG medical
Blood crisis in Berhampur MKCG medical

ଗ୍ରୀଷ୍ମପ୍ରଭାବରେ ସଂଗ୍ରହ ହୋଇପାରୁନି ରକ୍ତ, ଭଣ୍ଡାରରେ ଦେଖାଦେଲାଣି ସଙ୍କଟ

ବ୍ରହ୍ମପୁର: ସାରା ରାଜ୍ୟରେ ଗ୍ରୀଷ୍ମର ପ୍ରଭାବ । ଯାହାକୁ ନେଇ ଜନଜୀବନ ହୋଇପଡୁଛି ଅସ୍ତବ୍ୟସ୍ତ । ଆଉ ଏଭଳି ସମୟରେ ସଂଗ୍ରହ ହୋଇପାରୁନାହିଁ ରକ୍ତ । ରକ୍ତଭଣ୍ଡାରରେ ଦେଖାଦେଲାଣି ନେଗେଟିଭ୍ ଗ୍ରୁପର ରକ୍ତ ସଙ୍କଟ । ପ୍ରତ୍ୟେକ ବର୍ଷ ଗ୍ରୀଷ୍ମ ଦିନରେ ରକ୍ତର ଅଭାବ ଦେଖିବାକୁ ମିଳିଥିବା ବେଳେ ଦକ୍ଷିଣ ଓଡିଶାବାସୀ ନିର୍ଭର କରୁଥିବା ବ୍ରହ୍ମପୁରର ଏମକେସିଜି ମେଡିକାଲରେ ରକ୍ତର ଅଭାବ ଚିନ୍ତାର ବିଷୟ ପାଲଟିଲାଣି । ଯାହାକି ଏପରି ଅଭାବ ରହିଲେ ଶହ ଶହ ରୋଗୀଙ୍କ ଜୀବନ ପ୍ରତି ଏକ ପ୍ରକାର ବିପଦ ସୃଷ୍ଟି କରିବ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ । ସେପଟେ ମେଡିକାଲ କର୍ତ୍ତୃପକ୍ଷ ସମସ୍ତେ ରକ୍ତଦାନ କରିବାକୁ ଆଗେଇ ଆସିବା ପାଇଁ ପରାମର୍ଶ ଦେଇଛନ୍ତି ।

ଗ୍ରୀଷ୍ମ ପ୍ରଭାବ ଯୋଗୁଁ ବହୁ କମ ପରିମାଣରେ ଆୟୋଜିତ ହେଉଛି ରକ୍ତଦାନ ଶିବିର । ଯେଉଁଥିପାଇଁ ସଂଗ୍ରହ ହୋଇପାରୁନାହିଁ ରକ୍ତ ୟୁନିଟ୍ । ଯାହାର ପ୍ରଭାବ ଦେଖିବାକୁ ମିଳୁଛି ରକ୍ତଭଣ୍ଡାରରେ । ଦକ୍ଷିଣ ଓଡିଶାବାସୀ ନିର୍ଭର କରୁଥିବା ବ୍ରହ୍ମପୁରର ଏମକେସିଜି ମେଡିକାଲରେ ଗତ କିଛି ଦିନ ଧରି କ୍ରମାଗତ ଭାବରେ ରକ୍ତର ଅଭାବ ଏକପ୍ରକାର ଚିନ୍ତାର ବିଷୟ ପାଲଟିଲାଣି । ମେଡିକାଲର ରକ୍ତ ଭଣ୍ଡାରରେ ମାତ୍ର ହାତଗଣତି କିଛି ପଜିଟିଭ ଗ୍ରୁପର ୟୁନିଟ୍ ଷ୍ଟକ ରହିଥିବା ବେଳେ ନେଗେଟିଭ୍ ଗ୍ରୁପ ପୁରା ଖାଲି । ଯେଉଁଥିପାଇଁ ରୋଗୀ ରକ୍ତ ୟୁନିଟଟିଏ ଯୋଗାଡ କରିବା ପାଇଁ ନାହିଁନଥିବା ଅସୁବିଧାର ସମୁଖିନ ହେଉଛନ୍ତି । ଏଭଳି ସମୟରେ ଗୁରୁତ୍ତର ରୋଗୀଙ୍କ ସମ୍ପର୍କୀୟମାନେ ବାଧ୍ୟ ହୋଇ ରକ୍ତଦାତା ଯୋଗାଡ କରିବାକୁ ପ୍ରାଣମୂର୍ଚ୍ଛା ପ୍ରାୟସ ଜାରି ରଖୁଛନ୍ତି ।

ମୁଖ୍ୟତଃ ଏମକେସିଜି ମେଡିକାଲରେ ଦୈନିକ ହାରାହାରି ୮୦ରୁ ୧୦୦ ୟୁନିଟ୍ ରକ୍ତ ରୋଗୀଙ୍କୁ ଯୋଗାଇ ଦିଆଯାଇଥାଏ । ହେଲେ ବର୍ତ୍ତମାନ ରକ୍ତଭଣ୍ଡାରରେ ମାତ୍ର ୩୦ରୁ ୪୦ ୟୁନିଟ୍ ରକ୍ତ ବିଭିନ୍ନ ପଜିଟିଭ ଗ୍ରୁପରୁ ଗଚ୍ଛିତ ରହୁଥିବା ଯୋଗୁଁ ଏଭଳି ସମୟରେ ସମସ୍ତେ ରକ୍ତଦାନ ଭଳି ମହତଦାନ କାର୍ଯ୍ୟରେ ଆଗେଇ ଆସିବାକୁ କରାଯାଉଛି ଆହ୍ୱାନ । ପ୍ରତ୍ୟେକ ବର୍ଷ ଗ୍ରୀଷ୍ମ ଦିନରେ ବହୁ କମ ପରିମାଣର ରକ୍ତଦାନ ଶିବିର ଆୟୋଜିତ ହେଉଥିବା ବେଳେ ରକ୍ତଭଣ୍ଡାରକୁ ଆସି ରକ୍ତଦାନ କରିବାକୁ ସ୍ୱେଚ୍ଛାକୃତି ରକ୍ତଦାତାମାନଙ୍କ ସଂଖ୍ୟା ମଧ୍ୟ କମ ରହିଥାଏ । ଏଣୁ ଏପରି ଅଭାବ ଦେଖିବାକୁ ମିଳିଥାଏ ।

ଏହା ବି ପଢନ୍ତୁ- ମିମିକ୍ରି ମ୍ୟାନ ଦେବଦତ୍ତ: କୁନିପିଲାଠୁ ବିଲେଇ, ଅବିକଳ ନକଲ ସ୍ବରରେ କରୁଛନ୍ତି ଯାଦୁ

ସେପଟେ ଏପରି ଅଭାବ ରହିଲେ ଶହ ଶହ ରୋଗୀଙ୍କ ଜୀବନ ପ୍ରତି ଏକ ପ୍ରକାର ବିପଦ ସୃଷ୍ଟି କରିବ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ । ମୁଖ୍ୟତଃ ରକ୍ତର ବିକଳ୍ପ ନଥିବା ବେଳେ ଯେଉଁମାନେ ରକ୍ତ ନେଉଛନ୍ତି ସେମାନଙ୍କର ସମ୍ପର୍କୀୟଙ୍କୁ ଆଣି ଗୋଟିଏ ୟୁନିଟ୍ ରକ୍ତଦାନ କରିବାର ଆଶ୍ୟକତା ରହିଥିବା କୁହାଯାଇଛି । ସେପଟେ ଅଧିକ୍ଷକ ପ୍ରଫେସର ସୁଚିତ୍ରା ଦାଶ କହିଛନ୍ତି, "ଖରାଦିନ ଯୋଗୁଁ ଲୋକେ ରକ୍ତଦାନ କରିବାକୁ ଭୟ କରୁଛନ୍ତି । ତେବେ ଏଠାରେ ମୁଁ କହି ରଖିବାକୁ ଚାହୁଁଛି ରକ୍ତଦାନ କଲେ କୌଣସି ଅସୁବିଧା ନାହିଁ । ଯେଉଁ ରୋଗୀଙ୍କ ସମ୍ପର୍କୀୟଙ୍କ ପାଖରେ ଡୋନର ଅଭାବ ରହିଥାଏ ସେମାନଙ୍କୁ ମଧ୍ୟ ରକ୍ତ ପ୍ରଦାନ କରାଯାଇଥାଏ । ଏଣୁ ଏଭଳି ସ୍ଥିତିରେ ସମସ୍ତେ ଆସି ରକ୍ତଦାନ କରନ୍ତୁ ।"

ନିୟମିତ ଭାବରେ ଦକ୍ଷିଣ ଓଡିଶାର ଏମକେସିଜି ମେଡିକାଲରେ ରକ୍ତଭଣ୍ଡାର ଉପରେ ସାଧାରଣ ରୋଗୀଙ୍କ ସହିତ ଥାଲେସେମିଆ, ସିକଲସେଲ୍ ଓ ହେମୋଫିଲିଆ ରୋଗୀମାନେ ପ୍ରତ୍ୟେକ ମାସରେ ରକ୍ତ ନେଇଥାନ୍ତି । ଏପରିକି ନିୟମିତ ଡାଏଲିସିସରେ ହେଉଥିବା ରୋଗୀ ମଧ୍ୟ ଦୈନିକ ରକ୍ତ ଦିଆଯାଇଥାଏ । ଏଣୁ ରକ୍ତର ଅଭାବ ପରିଲିକ୍ଷିତ ହେଲେ ଏହି ରୋଗୀମାନେ ମଧ୍ୟ ଠିକ୍ ସମୟରେ ରକ୍ତ ପାଇବାରୁ ବଞ୍ଚିତ ହେବା ସହିତ ଏଭଳି ରୋଗୀ ରକ୍ତଦାତା ଯୋଗାଡ କରି ପ୍ରଥମେ ରକ୍ତଦାନ କରିଥାନ୍ତି ଏବଂ ପରେ ସେହି ରକ୍ତ ପରୀକ୍ଷା କରାଯାଇ ପୁଣି ଥରେ ରୋଗୀଙ୍କୁ ଦିଆଯାଇଥାଏ । ଏଣୁ ଏଭଳି ସ୍ଥିତିରେ ସମସ୍ତେ ଆସନ୍ତୁ ରକ୍ତର ଅଭାବ ଦୂର କରିବା ପାଇଁ ରକ୍ତଦାନ ଭଳି ମହତଦାନ କ୍ଷେତ୍ରରେ ନିଜକୁ ସାମିଲ କରାନ୍ତୁ ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : May 11, 2023, 9:09 PM IST

ABOUT THE AUTHOR

...view details